ସେଲୁନ୍ରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଥାନାରେ ଲିଖିତ ଅଭିଯୋଗ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟ-କଲେଜ ରାସ୍ତାରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ ଏକ ସେଲୁନରେ ନିଆଁ ଲଗାଇ ଦେଇଛନ୍ତି। ଏନେଇ ସେଲୁନ୍ ମାଲିକ ଗଙ୍ଗଦା(ବଂଧମୁଣ୍ଡା) ଗ୍ରାମର ଗଣେଶ ବାରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଗଣେଶ ସେଲୁନ ବନ୍ଦ କରି ରାତିରେ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ଜନଶୁନ୍ୟ ଅବସ୍ଥାରେ କେହି ଦୁର୍ବୃତ ତାଙ୍କ ସେଲୁନ୍ରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସେଲୁନ୍ ରେ ନିଆଁ ଲାଗିବା ପାଖରେ ଥିବା ଘର ଲୋକ ସଙ୍ଗେ ସଙ୍ଗେ ନାଉଗାଁ ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ଗଣେଶକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବା ବେଳକୁ ସେଲୁନ୍ର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ନିଶାସକ୍ତ ଅବସ୍ଥାରେ କେହି ଏପରିକାଣ୍ଡ ଘଟାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ହାଟରେ ଲାଗିଥିବା ସିସିଟିଭି ଗୁଡିକୁ ଯାଂଚ କରାଗଲେ ଦୁର୍ବୃତଙ୍କ ଚିହ୍ନଟ କରାଯାଇ ପାରିବ ବୋଲି ଦୋକାନୀମାନେ କହିଛନ୍ତି। ଗଣେଶ ସେଲୁନ କରି ପରିବାର ପ୍ରତିପୋଷଣ କରୁଥିଲେ। ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।