ଏକ୍ସିଲେଟର୍ ମୋଡୁଛନ୍ତି ଅଧିକାଂଶ ନାବାଳକ ! ସଚେତନତାରେ ଅଟକିଛି କାର୍ଯ୍ୟାନୁଷ୍ଠାନ
ଆସିକା (ୱାଇଏନ୍ଏସ୍) :ଆସିକା ସହର ତଥା ଏହାର ଆଖପାଖ କେତେକ ସାହିବସ୍ତିରେ ଦିନକୁ ଦିନ ଅଧିକାଂଶ ନାବାଳକଙ୍କ ବେପରୁଆ ଗାଡିଚାଳନା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କାହାକିକୁ ନ ମାନି ବେପରୁଆ ଭାବେ ଅତି ଦ୍ରୁତ ଗତିରେ ଏକ୍ସିଲେଟର୍କୁ ମୋଡି ଗାଡି ଚଳାଇବା କେତେକ ନାବାଳକଙ୍କ କ୍ଷେତ୍ରରେ ଏକ ସଉକ ପାଲଟି ଯାଇଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଅଭିଭାବକ ସେମାନଙ୍କ ପିଲାଙ୍କ ହାତରେ ବିଭିନ୍ନ ସମୟରେ ବାଇକ୍ କିମ୍ବା ସ୍କୁଟି ଚାବି ଧରାଇଦେବା ପରେ ସେମାନେ ଆଉ କାହାରିକୁ ମାନୁ ନଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ସାହିବସ୍ତିରେ ବହୁ ନାବାଳକ ସଡକ ସୁରକ୍ଷା ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ଗୋଟିଏ ଗୋଟିଏ ବାଇକ୍ରେ ୩ ଜଣ ଲେଖାଏଁ ବସି ଦ୍ରୁତ ଗତିରେ ଯାଉଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଆସିକା ଅଞ୍ଚଳର କେତେକ ଅଭିଭାବକ ସେମାନଙ୍କ ନାବାଳକ ସନ୍ତାନଙ୍କ ହାତରେ ବାଇକ୍ ଚାବି ଧରାଇଦେଇ ନିଶ୍ଚିନ୍ତରେ ରହିଯାଉଥିବା ବେଳେ ପିଲାଟି ବେପରୁଆ ଭାବେ ରାସ୍ତାରେ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି । ସହରର ବହୁ ପ୍ରମୁଖ ରାସ୍ତାରେ କେତେକ ନାବାଳକ ଏତେ ଦ୍ରୁତ ଗତିରେ ବାଇକ୍ ଚଳାଉଛନ୍ତି ଯେ ପଥଚାରୀମାନେ ଭୟଭୀୟ ହୋଇପଡୁଥିବା ଦେଖିବାକୁ ମିଳୁଛି । କେତେକ ନାବାଳକ ପବନକୁ କାଟି ଏତେ ଦ୍ରୁତ ଗତିରେ ରାସ୍ତାରେ ଗାଡି ଚଳାଉଛନ୍ତି ଯେ ଦୁର୍ଭାଗ୍ୟବଶତଃ ଯଦି ଦୁର୍ଘଟଣା ଘଟେ ଜୀବନ ଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ । ଜଣକର ଭୂଲ ପାଇଁ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିଭିନ୍ନ ସମୟରେ ବିପଦ ସୃଷ୍ଟି ହେଉଛି । ଆସିକା ସହରରେ ବହୁ ନାବାଳକ ନୀତିନିୟମକୁ ନ ମାନି ଅତି ଦ୍ରୁତ ଗତିରେ ବାଇକ୍ ଚଳାଉଥିବା ରୀତିମତ ବିଭିନ୍ନ ସ୍ତରରେ ଅଭିଯୋଗ ହେଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ନାବାଳକମାନଙ୍କୁ ବାଇକ୍ ଚାବି ଦେବା ପୂର୍ବରୁ ବହୁ ଅଭିଭାବକ ଟିକିଏ ଚିନ୍ତା ପ୍ରକଟ ନକରିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଉଛି । ବେପରୁଆ ଗାଡିଚାଳନା ଯୋଗୁଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ କିଛି ନାବାଳକ ବିକଟାଳ ଶବ୍ଦ କରି ବାଇକ୍ ଚଳାଉଥିବା ଅଭିଯୋଗ ବି ହେଉଛି । ସରକାରୀ ନିୟମ ଅନୁସାରେ ନାବାଳକ ଚାଳକ ଧରାପଡିଲେ ୨୫ ହଜାର ଟଙ୍କାର ଜରିମାନା ସହ ଅଭିଭାବକଙ୍କୁ ୩ ବର୍ଷର କାରାଦଣ୍ଡର ପ୍ରାବଧାନ ରହିଛିି । କିନ୍ତୁ ପ୍ରଶାସନର ଧରପଗଡ ଯୋଗୁଁ ଆସିକାରେ ତାହା ବାଟବଣା ହୋଇଯାଇଥିବା ଚର୍ଚ୍ଚା ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହରରେ ନାବାଳକ ଗାଡିଚାଳନା ଉପରେ ରୋକ୍ ଲଗାଇବା ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।


