ମା ,ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୪ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ଦିଗପହଣ୍ଡି ଥାନା ପୁଲିସ ଏସ ଆଇ ଜ୍ୟୋତି ରଞ୍ଜନ ବେହେରା ଶୁକ୍ରବାର ପାଟପୁର ଥାନା ଡୋଳବ ଗ୍ରାମର ତୋଫାନ ଗୌଡ଼,ମନୋଜ ରାଉଳ,ଜଗନ୍ନାଥ ପ୍ରଧାନ ଓରଫ ଜଗା ଏବଂ ଶିବ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୨୬/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ତୋଫାନ ଏବଂ ମନୋଜ ଙ୍କ ନିକଟରୁ ଘଟଣାରେ ବ୍ୟବହୃତ ୨ ବାଇକ ଓ ଲୁହାଛଡ଼ ଜବତ କରାଯାଇଛି। ଗତ ୬ ତାରିଖ ରାତି ପ୍ରାୟ ସାଢେ ୯ ଟାରେ ଦିଗପହଣ୍ଡି ଥାନା ଛଣମେରି ଗ୍ରାମର ସ୍ମୃତି ଦିପନ ପ୍ରଧାନ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଡୋଳବ ଗ୍ରାମର ୧୨ ଯୁବକ ୫ ଟି ବାଇକ ରେ ଆସି ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି କରିଥିଲେ। ତୋ ଭାଇ ସଚିନ କୁ ତୁରନ୍ତ ଡାକି ଆଣେ ବୋଲି କହିଥିଲେ। କଣ ପାଇଁ କହିବାରୁ ଅଭିଯୁକ୍ତ ତୋଫାନ ଏକ ଲୁହାଛଡ଼ ରେ ମରଣାନ୍ତକ ଆକ୍ରମଣ କରିଥିଲେ। ପାଟିଶୁଣି ସ୍ମୃତି ଙ୍କ ମା  ସେଠାକୁ ଆସି କଣ ପାଇଁ ପୁଅକୁ ମାରୁଛ ବୋଲି ପଚାରିବାରୁ ତାଙ୍କୁ ସେମାନେ ଅଶ୍ଳିଳ ଭାଷାରେ ଗାଳି କରି ଟଣାଓଟରା କରିବା ସହ ତାଙ୍କୁ ମଧ୍ୟ ଠେଙ୍ଗା ରେ ମାଡ଼ ମାରିଥିଲେ। ପଡୋଶୀ କୁନା ପ୍ରଧାନ ଦୌଡ଼ି ଆସି ଛଡାଇବାରୁ ଅଭିଯୁକ୍ତ ମାନେ ତାଙ୍କ ଗୋଡ଼କୁ ଠେଙ୍ଗା ରେ ମାଡ଼ ମାରିଥିଲେ। ପରେ ତାଙ୍କ ଘର କବାଟ କୁ ଠେଙ୍ଗା ଓ ଲୁହାଛଡ଼ ରେ ବାଡ଼ାଇ ଭାଙ୍ଗି ଦେବାସହ ପରିବାର ର ସମସ୍ତଙ୍କୁ ଜୀବନରେ ମାରି ଶେଷ କରିଦେବାକୁ ଧମକ ଦେଇଥିଲେ।ବହୁ ସଂଖ୍ୟକ ସାହି ପଡୋଶୀ ସେଠାକୁ ଦୌଡି ଆସିବାରୁ ଅଭିଯୁକ୍ତ ମାନେ ବାଇକ ଯୋଗେ ଚମ୍ପଟ ମାରିଥିଲେ। ଆହାତ ସ୍ମୃତି ଏନେଇ ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ଗତ ୨ ତାରିଖ ସନ୍ଧ୍ୟାରେ ଡୋଳବ ଗ୍ରାମରେ ଦୁଇ ଗୋଷ୍ଠୀ ର ଯୁବକ ଗଣେଶ ମେଢ଼ ଭସାଣି ରେ ଡିଜେ ଲଗାଇ ଶୋଭାଯାତ୍ରା କରିଥିଲେ।ଗ୍ରାମର ବଟ ଛକ ରେ ଉଭୟ ଗୋଷ୍ଠୀ ମୁହାମୁହିଁ ହେବା ସହ ପରସ୍ପର ଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ।ସେଥିରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଥିଲେ।ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ ଏତଲା ଦେଇଥିଲେ।ଘଟଣା ଦିନ ସ୍ମୃତି ଙ୍କ ଭାଇ ଡିଜେ ସାଉଣ୍ଡ ବକ୍ସ ଡୋଳବ ଗାଁ କୁ ନେଇଥିବା ସହ ଗଣ୍ଡଗୋଳ ରେ ସାମିଲ ଥିବା ରୁ ଅଭିଯୁକ୍ତ ମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ ପାଇଁ ଯାଇଥିଲେ ବୋଲି ପୁଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ