ଆକ୍ରମଣ ମାମଲାରେ ଜେଲ ଗଲେ ମାଆ ପୁଅ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ବି . ତୁରୁବୁଡି ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଜଣେ ବୃଦ୍ଧ ଚାଷୀ ଙ୍କୁ ଆକ୍ରମଣ ମାମଲାରେ ସୋମବାର ପୁଲିସ ଗ୍ରାମର ଅଭିଯୁକ୍ତ ମାଆ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେମାନେ ହେଲେ ମାଆ ପି . କୁରେଇ ରେଡ୍ଡୀ ଓ ପୁଅ ପି . କହ୍ନେଇ ରେଡ୍ଡୀ ।ଗତ ୯ ତାରିଖ ସକାଳୁ ଗ୍ରାମର ମାର୍କଣ୍ଡ ସେଠୀ ବିଲରେ କାମ କରୁଥିବା ବେଳେ ସେହି ବିଲକୁ ଲାଗି ରହିଥିବା ଅଭିଯୁକ୍ତ କହ୍ନେଇ ଓ ତାଙ୍କ ମାଆ କୁରେଇ ମଧ୍ୟ ବିଲରେ କାମ କରୁଥିଲେ । ସେହି ସମୟରେ କୁରେଇ ନିଜ ବିଲରୁ କାଦୁଅ ମାର୍କଣ୍ଡଙ୍କ ବିଲକୁ ଫୋପାଡିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ଘରକୁ ଚାଲି ଯାଇଥିଲେ । ଏହି ଘଟଣାକୁ ନେଇ ମାର୍କଣ୍ଡ ଗ୍ରାମ ରାସ୍ତାରେ ଯାଉଥିବା ବେଳେ ମାଆ ଓ ପୁଅ ଏକ ବାଉଁଶ ଠେଙ୍ଗା ରେ ମାର୍କଣ୍ଡ କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାର୍କଣ୍ଡଙ୍କ ପରିବାର ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା କରିବା ପରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ କେସ୍ ନଂ ୩୬୭/୨୫ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ସୋମବାର ଉଭୟ ମାଆ ପୁଅକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।


