ବର୍ଜ୍ୟବସ୍ତୁ ଶୋଧନ ପ୍ରକଳ୍ପ ପଲ୍ଲୀସଭା ଅନୁଷ୍ଠିତ
ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ତହସିଲ ଅନ୍ତର୍ଗତ କୁମୁଡ଼ାବାଲି ପଞ୍ଚାୟତର କାନ୍ତରାବାଲି ଗ୍ରାମର ଖାତା ନଂ – ୧୧୨/୫୭୯,ପ୍ଲଟ ନଂ -୬୩୩ ରେ ୧-୧୩ ଏକର ବା ୦.୪୫ ହେକ୍ଟର ପରିମିତ ଅଂଚଳରେ ସାଧାରଣ ଜୈବ ଡାକ୍ତରୀ ବର୍ଜ୍ୟବସ୍ତୁ ଶୋଧନ ପ୍ରକଳ୍ପ ନିମନ୍ତେ ଆଜି କୁମୁଡ଼ାବାଲି ଗ୍ରାମ ପଞ୍ଚାୟତ ପରିସରରେ ଏକ ପଲ୍ଲୀ ସଭା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ପଲ୍ଲୀ ସଭାରେ ଗୁଣୁପୁର ଉପ ଜିଲ୍ଲାପାଳ ଅଭିଷେକ ଦୁଧାଲ,ଜିଲ୍ଲା ପ୍ରଦ୍ୟୁଷଣ ବୋର୍ଡ ଅଧିକାରୀ ଅଶୋକ କୁମାର ଭୋଇ ଏବଂ ମେଶର୍ସ ମେଡ ୱେଷ୍ଟ ମ୍ୟାନେଜମଣ୍ଟ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଡାଇରେକ୍ଟର ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ପ୍ରତିଷ୍ଠା ନେଇ ଗ୍ରାମବାସୀଙ୍କ ସହଯୋଗ କାମନା କରିବା ସହ ଗ୍ରାମବାସୀ ମାନଙ୍କ ସହିତ ପରିବେଶ ମଜୁରୀ ନେଇ ସବିଶେଷ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ମେଡ଼ିକାଲର ସମସ୍ତ ବର୍ଯ୍ୟ ବସ୍ତୁକୁ ପ୍ରକ୍ରିୟାକରଣ କରିବା ସହିତ ଏହାକୁ ନୂତନ ସାମଗ୍ରୀର ରୂପ ଦେବାକୁ ମେସର୍ସ ମେଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ତରଫରୁ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସେଠ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳରେ କିଛି ବେକାର ଯୁବକ ଯୁବତୀ ନିଯୁକ୍ତି ପାଇବା ସହ ପରିବେଶ ସୁରକ୍ଷା,ବୃକ୍ଷ ରୋପଣ,ବିଜୁଳି ବ୍ୟବସ୍ଥା,ଗରିବ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷା ଦାନ,ଆମ୍ବୁଲାନ୍ସ ବ୍ୟବସ୍ଥା ଏବଂ ସ୍ଥାନୀୟ ଅଂଚଳର ଗମନାଗମନ ସୁବିଧା କମ୍ପାନୀ ତରଫରୁ କାର୍ଯ୍ୟକାରୀ ହେବା ନେଇ ଶ୍ରୀଯୁକ୍ତ ସେଠ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ରଖିଥିଲେ। ଗ୍ରାମବାସୀ ମାନେ ମଧ୍ୟ ସେମାନଙ୍କ ସୁବିଧାକୁ ନେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏସଡିପିଓ ସନ୍ତୋଷିନୀ ଓରାମ ଆଇଆଇସି କେଶବ ଚନ୍ଦ୍ର ଶଢ଼ଙ୍ଗୀଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଆଲୋଚନା ସମୟରେ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଥିଲେ। ଗ୍ରାମସଭାରେ ସମିତି ସଭ୍ୟ ଉଦ୍ଧବ ସିକକାଙ୍କ ସହ ଗ୍ରାମର ବରିଷ୍ଠ ନାଗରିକ ଟଙ୍କଧର ଗାଜିବାଲି,ମନୋଜ କାଶୀ,ସାଧବ ପ୍ରାସକା,ବୁଲୁ ପିଡିକକା,ପୂର୍ଣ୍ଣ ପୁଶିକା,ଚନ୍ଦ୍ରଶେଖର ଗଡେକା,ବୁଦ୍ଧଦେବ କାଶୀ,ସୁନାରି ସାରଳା,କାଞ୍ଚନ ମାଣ୍ଡିକା,ସୀମା ସରକାଙ୍କ ସହିତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇ ଆଲୋଚନାରେ ଅଂଶ୍ରଗ୍ରହଣ କରିଥିଲେ।


