ପୌରପାଳିକା ପାଳିଲା ଓଡ଼ିଆ ପକ୍ଷ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ପୌରପାଳିକା ପାଳିଲା “ଓଡ଼ିଆ ପକ୍ଷ ଦିବସ” ର ଦ୍ୱିତୀୟ ଦିନ । ଏପ୍ରିଲ ୨ ଓ ୩ ତାରିଖ ଦିନ ‘ଓଡ଼ିଆ ପକ୍ଷ’ କୁ ‘ପାରମ୍ପରିକ ପୋଷାକ ପରିଧାନ ଦିବସ – ଆମ ପୋଷାକ ଆମ ପରିଚୟ’ ଦିବସ ଭାବେ ପାଳନ କରାଯିବାକୁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥି ନିମନ୍ତେ ପୌରପାଳିକାର ସମସ୍ତ କର୍ମଚାରୀ ବୃନ୍ଦ ଓଡ଼ିଶାର ପାରମ୍ପରିକ ପୋଷାକ ପରିଧାନ କରିଥିଲେ । ଏହି ଅବସରରେ ବାଲେଶ୍ୱର ପୌରପାଳିକା ଦ୍ୱାରା ସକାଳ ୮.୩୦ ଘଟିକା ସମୟରେ ଟାଉନ ହଲ ଠାରେ ଏକ ଯୋଗ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ନିର୍ଲିପ୍ତତା ମହାନ୍ତିଙ୍କ ସମେତ ପୌରପାଳିକାର ସମସ୍ତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଓ ପରିମଳ କର୍ମୀ ମାନଙ୍କୁ ଯୋଗ ଗୁରୁ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ବିନ୍ଧାଣୀ ଯୋଗ ଶିଖାଇବା ସହିତ ଯୋଗ ର ଉପକାରିତା ବିଷୟ ରେ ଅବଗତ କରାଇଥିଲେ । ଏହା ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଯୋଗ ଦେଇଥିଲେ । ତାଙ୍କ ସହିତ ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ନିର୍ଲିପ୍ତତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ମଞ୍ଚାସୀନ ଥିଲେ । ଉକ୍ତ ସଭାରେ ସ୍ୱଚ୍ଛ ଭାରତ ଅଧୀନରେ କାର୍ଯ୍ୟରତ ସମସ୍ତ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର୍ ଓ ସ୍ୱଚ୍ଛ କର୍ମୀ ମାନଙ୍କୁ ଶାଢ଼ୀ ବଣ୍ଟନ କରାଯିବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ର ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରା ଯାଇଥିଲା । ଏହା ପରେ ବିଦ୍ୟୁତ୍ ମାର୍ଗ ରେ ନବ ନିର୍ମିତ ପେଭର୍ କରିଡର୍ ର ଉନ୍ମୋଚନ ମଧ୍ୟ କରା ଯାଇଥିଲା । ଏହି ପ୍ରକଳ୍ପ ଟି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯକ୍ରମ ଅଧୀନ ରେ ୧୭ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଇଛି ।


