ବାଙ୍ଗୀୟ ମହିଳାଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ
ହାଟଡିହି (ଓ୍ବାଇଏନଏସ): ବାଙ୍ଗୀୟ ମହିଳାଙ୍କୁ ପଶ୍ଚିମବଙ୍ଗରୁ ଡକାଇ ଓଡ଼ିଶାରେ ହତ୍ୟା କରିବା ଘଟଣାରେ କେନ୍ଦୁଝର ପୋଲିସ କୁ ମିଳିଛି ବଡ଼ ସଫଳତା। ଏହାର ମୁଖ୍ୟ ଆସାମୀ କୁହା ଯାଉଥିବା ମହମ୍ମଦ ଟୁନୁସେଖ କୁ ଝାଡଖଣ୍ଡର ସାହେବଗଞ୍ଜ ଜିଲ୍ଲାର ରାଜମହଲ ଥାନା ଅଧୀନ ପୂର୍ବୀ ନାରାୟଣପୁର ଗ୍ରାମରୁ ଗିରଫ କରିଛି ସ୍ୱତନ୍ତ୍ର ପୋଲିସ ଟିମ। କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶରେ ଗଠିତ ଏକ ସ୍ୱତନ୍ତ୍ର ପୋଲିସ ଦଳ ଦ୍ୱାରା ତାକୁ ସେଠାରୁ ଗିରଫ କରାଯାଇଛି। କେନ୍ଦୁଝର ପୋଲିସର ନିରନ୍ତର ପ୍ରୟାସ ଏବଂ ବୈଷୟିକ ସୂଚନାକୁ ଆଧାର କରି, ଦଳ ସଫଳତାର ସହ ଝାଡ଼ଖଣ୍ଡରୁ ଅଭିଯୁକ୍ତଙ୍କୁ ଖୋଜି ବାହାର କରିଥିଲା। ତାଙ୍କୁ ନିକଟସ୍ଥ ଉପଯୁକ୍ତ କୋର୍ଟରେ ହାଜର କରାଯାଇଥିଲା ଏବଂ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଥିଲା। ଆଜି ଅଭିଯୁକ୍ତକୁ ସୋସୋ ପୋଲିସ ଷ୍ଟେସନରେ ହାଜର କରାଯାଇଥିଲା ଏବଂ ଆଇନଗତ ପ୍ରକ୍ରିୟା ଅନୁଯାୟୀ କୋର୍ଟକୁ ପଠାଯାଇଛି। ଏହା ବ୍ୟତୀତ, ମାମଲା ସହିତ ଜଡିତ ସମସ୍ତ ତଥ୍ୟ ଏବଂ ପରିସ୍ଥିତି ଯାଞ୍ଚ କରିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ବିସ୍ତୃତ ପଚରାଉଚରା ଏବଂ ଅତିରିକ୍ତ ପ୍ରମାଣ ସଂଗ୍ରହ ପାଇଁ ରିମାଣ୍ଡରେ ନେବାକୁ ଚାହୁଁଛି। ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲା ସୋସୋ ଥାନା ପୋଲିସ ନିକଟସ୍ଥ ବାଲିଆ ଅଞ୍ଚଳରୁ ଚଳିତ ମାସ ଗତ ଜୁନ ୨୩ ତାରିଖ ସନ୍ଧ୍ୟାରେ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା l ଏନେଇ ୧୦/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଇଥିଲା। କେନ୍ଦୁଝର ଏସପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ.ପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ପୋଲିସର ଏକାଧିକ ଟିମ ତଦନ୍ତ ଆରମ୍ଭ କରିଥିଲେ l ମୃତ ଦେହ ନିକଟରୁ ପୋଲିସ ଏକ ଭେନିଟ ବ୍ୟାଗ ଜବତ କରି ସେଥିରୁ ମହିଳାଙ୍କ ପରିଚୟ ଏବଂ ଘଟଣା ସମ୍ପର୍କିତ କିଛି ସୁରାକ ପାଇଥିଲା l ଫଳରେ ତଦନ୍ତ ଆଗେଇ ଥିଲା l ତଦନ୍ତ ସମୟରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିବା ପରେ ୧୨୭/୨୦୨୬ ରେ ଏକ ହତ୍ୟା ମାମଲା ପଞ୍ଜିକରଣ ହୋଇଥିଲା l ପ୍ରଥମେ ସିସିଟିଭି ଆଧାରରେ ଭଦ୍ରକ ରୁରାଲ ଥାନା ନାରାୟଣପୁର ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ଅକ୍ଷୟ କୁମାର ଜେନା (୨୨ ବର୍ଷ )ଙ୍କୁ ଗିରଫ କରି ପଚରା ଉଚୁରା କରିବା ପରେ ମୁଖ୍ୟ ଅଭିଯୁକ୍ତର ସନ୍ଧାନ ପାଇଥିଲା। ଗିରଫ ଅକ୍ଷୟକୁ ହତ୍ୟାକାଣ୍ଡ ଘଟିଥିବା ସ୍ଥଳକୁ ନେଇ ସିନ ରିକ୍ରିଏସନ ସହ ତାଙ୍କୁ ଗତ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିଲା l କେନ୍ଦୁଝର ଏସ.ପି ଙ୍କ ନିର୍ଦେଶରେ ଏକ ପୋଲିସ ଟିମ ଝାଡଖଣ୍ଡକୁ ଯାଇ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଏତେ କମ ସମୟ ଭିତରେ ଏକ ହତ୍ୟାକାଣ୍ଡର ବାହାର ରାଜ୍ୟର ଅପରାଧୀଙ୍କୁ ଧରିବାରେ ପୋଲିସର ସଫଳତାକୁ ସାଧାରଣରେ ପ୍ରଶଂସା କରା ଯାଇଛି।


