ସଦର ମହକୁମାକୁ ଏନଏସି ଦାବୀ ଜୋରଦାର: ରବିବାରଠାରୁ ଦସ୍ତଖତ ଅଭିଯାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲାର ବନ୍ତ ସଦର ମହକୁମାକୁ ଏନଏସି ଘୋଷଣା କରିବା ନେଇ ବନ୍ତ ଅଞ୍ଚଳର ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ଶିକ୍ଷାବିତ, ସମାଜସେବୀଙ୍କ ସମେତ ଦଳମତ ନିର୍ବିର୍ଶେଷର ବିଭନ୍ନ ଦଳର ନେତୃତ୍ୱ ମାନେ ଅଣ୍ଟା ଭିଡିଛନ୍ତି । ଏନେଇ ଗତ ୨୪ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇ ବନ୍ତକୁ ଏନଏସି ଘୋଷଣା ନେଇ ରାଜ୍ୟ ସରକାରଙ୍କ ପାଖରେ ଦାବୀ ଜଣାଇବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏପରିପେକ୍ଷୀରେ ରବିବାର ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହେବା ସହ ଖୁବ୍ ଶିଘ୍ର ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିିଙ୍କୁ ଭେଟି ସ୍ମାରକ ପତ୍ର ଦିଆଯିବ ବୋଲି ସୂଚନା ମିଳିଛି । ପ୍ରକାଶ ଯେ, ୧୯୬୧ ମସିହାରେ ବନ୍ତ ପଞ୍ଚାୟତ ସମିତି ଗଠନ ହୋଇଥିଲା । ସଦର ମହକୁମାରେ ପଞ୍ଚାୟତ ସମିତି, ତହସିଲ, ସବ୍ ରେଜେଷ୍ଟ୍ରି ଅଫିସ, ଥାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ବ୍ଲକ ଶିକ୍ଷାଧିକାରୀ, ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ଉପଡାକଘର, କଲେଜ, ୩ ହାଇସ୍କୁଲ, ୪ ବ୍ୟାଙ୍କ ରହିଛି । ବିଶେଷକରି ବନ୍ତ, ପଧାନପଡା ଓ ଟିଲୋ ଆଦି ୩ ପଞ୍ଚାୟତ ମଧ୍ୟରେ ବନ୍ତ ସଦର ମହକୁମା ରହିଛି । ସଦର ମହକୁମା ମଧ୍ୟ ଦେଇ ଭଦ୍ରକ-ଆନନ୍ଦପୁର ୫୩ଂନ.ରାଜ୍ୟ ରାଜପଥ ଏବଂ ବିକେବିଏମ ରାସ୍ତା ଯାଇଛି । ଦୈନନ୍ଦିନ ସଦର ମହକୁମାକୁ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି । ସରକାରୀ ଗାଇଡ ଲାଇନ ଅନୁଯାୟୀ ଭୌଗଳିକ ସ୍ଥିତି ଓ ଆବଶ୍ୟକ ଜନସଂଖ୍ୟା ଦୃଷ୍ଟିରୁ ବନ୍ତ ସଦର ମହକୁମା ଏନଏସି ପାଇଁ ଯୋଗ୍ୟ ହୋଇଥିବାରୁ ବନ୍ତ ଅଞ୍ଚଳବାସୀମାନେ ଦୀର୍ଘ ବର୍ଷ ହେବ ଦାବୀ କରି ଆସୁଛନ୍ତି । ଅପରପକ୍ଷେ ଗତ ୨୦୨୩ ଡିସେମ୍ବର ୨୯ରେ ବନ୍ତକୁ ଏନଏସି ମାନ୍ୟତା ଦେବା ନେଇ ବନ୍ତ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତତ୍କାଳୀନ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ପରେ ଏସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ହୋଇଥିଲା । ଏହା ମଧ୍ୟରେ ଦୀର୍ଘ ମାସ ବିତି ଯାଇଥିବା ବେଳେ ବନ୍ତ ଅଞ୍ଚଳବାସୀ ଏନଏସି ଘୋଷଣା ଅପେକ୍ଷାରେ ରହିଛନ୍ତି । ରାଜ୍ୟ ସରକାର ସବୁବେଳେ ଓଡିଶାର ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ବନ୍ତକୁ ଏନଏସି ଘୋଷଣା କରିବେ ବୋଲି ଅଞ୍ଚଳବାସୀ ଆଶା ବ୍ୟକ୍ତ କରିଛନ୍ତି ।