ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ
ବୁଗୁଡା, (ଅନୀଲ କୁମାର ମହାରଣା): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨/୦୧/୨୬ ତାରିଖ ଦିନ “ବନ୍ଦେ ମାତରମ” ସଙ୍ଗୀତ, ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବର ସ୍ବେଛାସେବୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ ସାମୁହିକ ଭାବେ ଗାନ କରି ରାଷ୍ଟ୍ର ଭକ୍ତି ଭାବ ବ୍ୟକ୍ତ କରିଥିଲେ l ସେହିପରି ଜାତୀୟ ଯୁବ ଦିବସ ଅବସରରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ସଭାରେ ବିଦ୍ୟାଳୟର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପକ ସୁକାନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ, ନୀତି ବାଣୀ ଓ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ ସହ ଉତ୍ତମ ଚରିତ୍ର ଗଠନରେ ବ୍ରତୀ ହୋଇ ଦେଶ ମାତୃକାର ସେବା କରିବାକୁ ପରାମର୍ଶ ଦେଇଥିଲେ l ଅନୁଷ୍ଠାନର ଅଧ୍ୟାପକ ତଥା ଯୁବ ରେଡ କ୍ରସ ପରାମର୍ଶଦାତା ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ, ଆଧ୍ୟାତ୍ମିକ ଦର୍ଶନ, ଧୀମତା, ବ୍ରାହ୍ମଚର୍ଯ୍ୟ ବ୍ରତ ସମ୍ପର୍କରେ ଆଲୋଚନା କରି ସ୍ୱାମୀଜୀ ଙ୍କ ପଦାନୁସରଣ କରି ଜୀବନର ଲକ୍ଷ୍ୟ ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ ଶଙ୍କର ଆଶିଷ ପାତ୍ର ଧନ୍ୟବାଦ ଦେବା ସ୍ୱାମୀଜୀଙ୍କ ପରି ନିଜେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ଭାଷଣ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l


