ବେତନଟୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାରେ ଅବହେଳା: ମେଡିକାଲରେ ସରକାରୀ ବ୍ୟବସ୍ଥାର ବିଫଳତା
ବେତନଟୀ ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବହେଳା ଓ ଖାମଖିଆଲି ମନୋଭାବର ଘଟଣା ଜାରି ରହିଛି। ବାରମ୍ଵାର ଅଭିଯୋଗ ଓ ରିପୋର୍ଟ ସତ୍ତ୍ୱେ ପରିସ୍ଥିତି ସୁଧୁରୁ ନାହିଁ। ରୋଗୀମାନେ ବାରମ୍ବାର ସେବା ପାଇବାରୁ ବଞ୍ଚିତ ହେଉଛନ୍ତି, ଯାହା ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକାରୀ, ଡାକ୍ତର ଓ କର୍ମଚାରୀଙ୍କର ଅପାରଗତା ଏବଂ ଡବଲ୍ ଇଞ୍ଜିନ୍ ସରକାରର ଅନୁଶାସନର ଅଭାବକୁ ଦର୍ଶାଉଛି। ଏହା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିଫଳତାର ପ୍ରମାଣ ଏବଂ ତୁରନ୍ତ ତଦନ୍ତର ଆବଶ୍ୟକତା ସୃଷ୍ଟି କରୁଛି। କିଛି ଦିନ ପୂର୍ବେ ରକ୍ତଚାପ ମାପିବା ଯନ୍ତ୍ର ଖରାପ ଥିବାରୁ ରୋଗୀମାନେ ଅସୁବିଧାରେ ପଡ଼ିଥିଲେ। ବାହାରେ ଔଷଧ ଦୋକାନରୁ ରକ୍ତଚାପ ମାପିବାକୁ ବାଧ୍ୟ ହୋଇଥିଲେ, ଯାହା ଅତିରିକ୍ତ ଖର୍ଚ୍ଚର କାରଣ ହୋଇଥିଲା। ଭାଲିଆ ଗ୍ରାମର ରଞ୍ଜିତ ମହାନ୍ତ, ସରୋଜ ମହାନ୍ତି ଓ ଏସ୍ଏସ୍ ନହଣ୍ଡାସୋଳର ମଙ୍ଗଲ ସିଂ ଏହାକୁ ନେଇ ଅଭିଯୋଗ କରିଥିଲେ। ସେମାନେ କହିଥିଲେ, “ସରକାରୀ ସେବା ମାଗଣା ହେବା କଥା, କିନ୍ତୁ ଆମେ ଟଙ୍କା ଖର୍ଚ୍ଚ କରୁଛୁ।” ଆଜି ପୁଣି ଏକ୍ସ୍-ରେ ମେସିନ୍ ଖରାପ ହୋଇଥିବାରୁ ରୋଗୀମାନେ ଚିକିତ୍ସା ପାଇବାରୁ ବଞ୍ଚିତ ହେଲେ। ବେତନଟୀ ଭୋଗବାଟିର ପ୍ରକାଶ ଲେଙ୍କା ତାଙ୍କ ଭାଇ ବିକାଶଙ୍କୁ ଚିକିତ୍ସା ପାଇଁ ନେଇଥିଲେ। ଡାକ୍ତର ଏକ୍ସ୍-ରେ ପାଇଁ ପରାମର୍ଶ ଦେଇଥିଲେ, କିନ୍ତୁ ଅପରେଟର୍ ମେସିନ୍ ଖରାପ ଥିବା କହି ବାହାରୁ କରିବାକୁ ପରାମର୍ଶ ଦେଇଥିଲେ। ପ୍ରକାଶ ଅଭିଯୋଗ କରିଛନ୍ତି, “ଗରିବ ଲୋକଙ୍କ ଜୀବନ ଏପରି ଅବହେଳାରେ ବିପଦରେ ପଡ଼ୁଛି।” ଅନୁରୂପ ଭାବେ, ଅଗ୍ରିଆ ଗ୍ରାମର ଜନ୍ମଜୟ ପରିଡ଼ାଙ୍କର ଦୁର୍ଘଟଣା ପରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଛାତିରେ ମାଡ଼ ବାଜି ଫୁଲିଥିବାରୁ ଡାକ୍ତର ଏକ୍ସ୍-ରେ ପାଇଁ ପରାମର୍ଶ ଦେଇଥିଲେ, କିନ୍ତୁ ବେତନଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେରେ ଏକ୍ସ୍-ରେ ମେସିନ୍ ଖରାପ ଥିବାରୁ ଶେଷରେ ବାରିପଦା ପିଆର୍ଏମ୍ ମେଡ଼ିକାଲ୍ କଲେଜ୍କୁ ରେଫର୍ କରାଗଲା। ଜନ୍ମଜୟଙ୍କ ପରିବାର କହିଛନ୍ତି, “ଏକ୍ସ୍-ରେ ମେସିନ୍ ଖରାପ ଥାଇ କାହିଁକି ପ୍ରଥମେ ପରାମର୍ଶ ଦିଆଗଲା? ଏହା ଆମର ସମୟ ଓ ଟଙ୍କାର ନଷ୍ଟ କେବଳ।” ଏହି ଘଟଣାଗୁଡ଼ିକ ଗ୍ରାମାଞ୍ଚଳର ଗରିବ ରୋଗୀଙ୍କ ଦୁର୍ଦ୍ଦଶାକୁ ଦର୍ଶାଉଛି। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୌଳିକ ସୁବିଧାର ଅଭାବ ଜନସାଧାରଣଙ୍କ ଜୀବନକୁ ବିପଦରେ ପକାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ। ଉଚ୍ଚସ୍ତରୀୟ ତଦନ୍ତ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ସ୍ଥାନୀୟ ଜନତା ଆସ୍ଥା ହରାଇବେ।