ମାର୍ଚ୍ଚ ମାସ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ: ମହମ୍ମଦ ମୋକିମ୍

କଟକ(ଓ୍ବାଇଏନଏସ) : ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠିତ ହେବ। ଏଇ ୧୨ ତାରିଖରେ ଏହାର ମୂଳଦୁଆ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍। ସେ ଆହୁରି କହିଛନ୍ତି, ଭୁବନେଶ୍ବରରେ ୧୨ ତାରିଖରେ ଯୁବ ସମାବେଶ ହେବ। ଏଥିରେ ଉପକୂଳ ଓଡ଼ିଶାର ବହୁ ଯୁବନେତା ସାମିଲ ହେବେ। ସେଥିରେ ଓଡ଼ିଶାର ଭବିଷ୍ୟତ ନେଇ ଆଲୋଚନା ହେବ। ପରେ ମହିଳା ଓ ଚାଷୀ ସମବେଶ ହେବ। ନୂଆ ରାଜନୈତିକ ସମୀକରଣ ପାଇଁ ଆଲୋଚନା ଚାଲିଛି ଓ ବିଭିନ୍ନ ଲୋକଙ୍କ ପରାମର୍ଶ ଲୋଡ଼ାଯାଉଛି। ଏବେ ୧୨ ତାରିଖର ସମାବେଶ ଉପରେ ରହିଛି ଅନେକଙ୍କ ନଜର। ତେବେ ସେ ଜଣେ ରାଜ୍ୟସ୍ତରୀୟ ନେତା ହୋଇନଥିବା ହେତୁ ନୂଆ ରାଜନୈତିକ ଦଳ କେତେ ସଫଳ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣେ ଏହି ନୂଆ ଦଳର ନାମ ଏଯାବତ୍ ଘୋଷଣା କରାଯାଇନଥିଲେ ବି ‘ଲୋକ କଂଗ୍ରେସ’ ରଖାଯିବ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟସଭା ସାଂସଦ ତଥା କଂ‌ଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କଟକ-ବାରବାଟୀରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପରେ ମୋକିମଙ୍କୁ ଦଳରୁ ବିଦା କରାଯାଇଥିଲା। ଏହି ଚିଠିରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ। ଏଥି ସହିତ ଦଳର ନେତୃତ୍ଵର ନବୀକରଣ କରାଯାଉ ବୋଲି ଦାବି କରିଥିଲେ। ଓଡ଼ିଶା କଂଗ୍ରେସର ପୁନରୁଦ୍ଧାର ଓ ପୁନଜୀବିତ କରାଗଲେ ଭବିଷ୍ୟତ ମଜବୁତ ହେବ ବୋଲି ମଧ୍ୟ କହିଥିଲେ। ବରିଷ୍ଠ ନେତା କହିଥିଲେ, ଦୀର୍ଘ ଦିନ ହେଲା ଭାରତୀୟ ଜାତୀୟ କଂଗ୍ରେସ ପାଇଁ କାମ କରୁଛି। କଂଗ୍ରେସ ସହିତ ମୋର ପରିବାର କାମ କରିବା ନୂଆ କଥା ନୁହେଁ। ମୋର ଜେଜେବାପାଙ୍କର ବାପା ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ, ଯିଏକି ସ୍ବାଧୀନତା ସଂଗ୍ରାମର କଷ୍ଟ ଜାଣିଥିଲେ। ମୋର ବଡ଼ ଭାଇ ଯିଏ କି ୪୨ ବର୍ଷ ବୟସରେ ପରଲୋକ ଗମନ କରିଥିଲେ, ସେ ମଧ୍ୟ ତାଙ୍କ ଜୀବନକୁ କଂଗ୍ରେସ ସହିତ ଯୋଡ଼ିଥିଲେ। ଶେଷ ନିଃଶ୍ବାସ ନେବା ଯାଏଁ କଂଗ୍ରେସ ପାଇଁ କାମ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ