ଭୀଷ୍ମଗିରୀ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଦିଗପହଣ୍ଡି,୧୯|୮(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଭୀଷ୍ମଗୀରି ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ବ୍ରହ୍ମାଙ୍କ ବିରୋଧରେ ୱାର୍ଡ ସଭ୍ୟା ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ମଙ୍ଗଳବାର ବ୍ରହ୍ମପୁର ଉପ ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଇଥିବା ଜଣାପଡ଼ିଛି । ଆଦର୍ଶ ଗ୍ରାମ ଭାବରେ ପରିଚିତ ଥିବା ଏକମାତ୍ର ଗ୍ରାମକୁ ନେଇ ଗଠିତ ହୋଇଥିବା ଭୀଷ୍ମଗିରୀ ପଞ୍ଚାୟତ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ମନ୍ଥରତା ଏବଂ ପଞ୍ଚାୟତ ବାସୀଙ୍କ ମୌଳିକ ସମସ୍ୟାକୁ ସମାଧାନ ଦିଗରେ ସରପଞ୍ଚଙ୍କ କୈାଣସି ସହଯୋଗ ପାଇ ଆସୁନଥିବା ନେଇ ପୂର୍ବରୁ ଜନସାଧାରଣ ଙ୍କ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା । ଗ୍ରାମରେ ଦୀର୍ଘବର୍ଷ ଧରି ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିଲେ ମଧ୍ୟ ସରପଞ୍ଚଙ୍କ ଗ୍ରାମରେ ଦେଖା ମିଳୁନାହିଁ । ଏପରିକି ଗ୍ରାମରେ ରହିଥିବା ବିଦ୍ୟୁତ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ୍ ଖରାପ ହୋଇଲେ ଏହାକୁ ସଜାଡ଼ିବାରେ ବିଳମ୍ବ , ଗ୍ରାମରେ ଗ୍ରାମସଭା ନ କରିବା ଫଳରେ ପଞ୍ଚାୟତ ବାସୀ ସରପଞ୍ଚଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆସୁଥିଲେ । ପଞ୍ଚାୟତରେ କୈାଣସି କାର୍ଯ୍ୟରେ ସରପଞ୍ଚ ୱାର୍ଡ ସଦସ୍ୟଙ୍କୁ ଅବଗତ କରାଉନଥିବା ଫଳରେ ୧୬ ଜଣ ୱାର୍ଡ଼ ସଭ୍ୟା ସଭ୍ୟ ମଧ୍ୟରୁ ୧୩ ଜଣ ସଦସ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ୱାର୍ଡ ସଭ୍ଯ ତମାଳ ଗୌଡ଼ , ଟୁକୁନା ଗୌଡ଼ , ଅଜୟ ପଣ୍ଡା , ଗୀତାଞ୍ଜଳି ରାଉତ , ରୀତା ନାୟକ , ବେଣୁ ମାଧବ ବକ୍ସି , ଅମୂଲ୍ୟ ଦାସ , ବି. ଚନ୍ଦ୍ରମଣି ନାୟକ , ମୁନା ସେଠୀ , ବି. ଲବ କୁମାର ପୃଷ୍ଟି , ସସ୍ମିତା ଗୌଡ଼ , ସୀତା ସାହୁ ଏବଂ ବି. ଅଗାଡି ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ସରପଞ୍ଚ ଙ୍କୁ ପଚାରିବାରୁ ରାଜନୈତିକ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ନାଁ ରେ ଅଭିଯୋଗ କରାଯାଇଛି।ନିର୍ଦ୍ଧାରିତ ସମୟରେ ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ ପଞ୍ଚାୟତରେ ଚାଲିଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


