ମହାକାଳପଡା ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଦୁଇମାସ ପରେବି କାର୍ଯ୍ୟାନୁଷ୍ଠାନ ଶୂନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲା ଅଧିନ ମହାକାଳପଡା ବ୍ଲକର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ନିମନ୍ତେ ମହାକାଳପଡା ପଞ୍ଚାୟତ ସମିତିର ଏକ ତୃତୀୟାଂଶ ସଦସ୍ୟଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ବରାଦପତ୍ର ଓ ବୈଠକରେ ଆଗତ ହେବାକୁ ଥିବା ପ୍ରସ୍ତାବିତ ସଂକଳ୍ପ କେନ୍ଦ୍ରାପଡା ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଅଗଷ୍ଟମାସ ୫ତାରିଖରେ ସଂପୃକ୍ତ ସଦସ୍ୟମାନେ ପ୍ରଦାନ କରିଥିଲେ। କିନ୍ତୁ ଅଦ୍ୟାବଧି ସେହି ବରାଦପତ୍ର ଓ ପ୍ରସ୍ତାବିତ ସଂକଳ୍ପ ଉପରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟେଟ୍ ଶ୍ରୀ ନାୟକ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଓଡିଶା ପଞ୍ଚାୟତ ସମିତି ଆଇନ-୧୯୬୮ର ଧାରା ୪୬(ଖ)(୨)ର ଉପଧାରା (୧)ର (କ) ଅନୁଯାୟୀ ଭୋଟଦାନ ଅଧିକାର ଥିବା ଅନ୍ୟୁନ ଏକ ତୃତୀୟାଂଶ ସଦସ୍ୟଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ବରାଦପତ୍ର ସହିତ ବୈଠକରେ ଆଗତ ହେବାକୁ ଥିବା ପ୍ରସ୍ତାବିତ ସଂକଳ୍ପର ନକଲ ଉପଜିଲ୍ଲାପାଳ ପାଇବା ପରେ ତତ୍କ୍ଷଣାତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଉପଧାରା (୧)ର (ଗ) ଅନୁଯାୟୀ ଉପଜିଲ୍ଲାପାଳ ସେହି ଅନସ୍ଥା ପ୍ରସ୍ଥାବ ଆଗତ ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକ ଡକାଇବେ। ଏହି ବୈଠକ ନିମନ୍ତେ ସ୍ଥାନ, ତାରିଖ ଓ ସମୟ ଧାର୍ଯ୍ୟ କରିସାରିବା ପରେ ଧାର୍ଯ୍ୟ ତାରିଖର ଅନ୍ୟୁନ ୭ଦିନ ପୂର୍ଣ୍ଣ ଦିବସ ପୂର୍ବରୁ ଭୋଟଦାନ ଅଧିକାର ଥିବା ପ୍ରତ୍ୟେକ ସଦସ୍ୟମାନଙ୍କୁ ବରାଦପତ୍ର ଏବଂ ପ୍ରସ୍ତାବିତ ସଂକଳ୍ପର ନକଲ ସହିତ ନୋଟିସ ଦ୍ୱାରା ଅବଗତ କରାଇବା କଥା। କିନ୍ତୁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟେଟ୍ ଶ୍ରୀ ନାୟକ ମହାକାଳପଡା ପଞ୍ଚାୟତ ସମିତିର ଏକ ତୃତୀୟାଂଶ ସଦସ୍ୟଙ୍କ ଦ୍ୱାରା ସ୍ୱାକ୍ଷରିତ ବରାଦପତ୍ର ଓ ପ୍ରସ୍ତାବିତ ସଂକଳ୍ପ ପାଇବାର ପାଖାଡପାଖି ୩ମାସ ପରେବି ପଞ୍ଚାୟତ ସମିତି ଆଇନର ଧାରା ୪୬(କ)ର ଉପଧାରା (୨) (ଗ) ଅନୁଯାୟୀ କୈାଣସି ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଯାହା ପଞ୍ଚାୟତ ସମିତି ଆଇନକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି।


