ସୋସୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର: ରୋଗୀ ସେବା ବିପର୍ଯ୍ୟସ୍ତ
ହାଟଡିହି, (ଓ୍ବାଇଏନଏସ) : ସରକାର ଗ୍ରାମାଞ୍ଚଳ ର ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏକାଧିକ ଯୋଜନା କରିବା ସହ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଲୋକଙ୍କୁ ମାଗଣାରେ ଚିକିତ୍ସା ଠାରୁ ଆରମ୍ଭ କରି ମାଗଣା ଔଷଧ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ଯୋଜନା ଗୁଡିକ କାର୍ଯ୍ୟକାରୀ ହୋଇପାରୁନି। ସାମାନ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକର ସୋସୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ । ଏଠାରେ ଉପଯୁକ୍ତ ସ୍ଵାସ୍ଥ୍ୟସେବା ମିଳି ପାରୁନଥିବା ଅଭିଯୋଗ ହେଉଛି। ୧୯୩୦ ମସିହାରୁ ଆରମ୍ଭ ହୋଇଥିବା ସୋସୋ ସ୍ବାସ୍ଥ୍ୟ କେନ୍ଦ୍ରଟିରେ ଏବେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ । ମାସ ମାସ ଧରି ଡାକ୍ତର ନ ଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ସ୍ବାସ୍ଥ୍ୟସେବା ଚାଲିଛି। ସନ୍ଧ୍ୟାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର କେହି ରହୁନଥିବାରୁ ସ୍ଥାନୀୟ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସରକାର ଏ ଅଞ୍ଚଳର ଲୋକମାନଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସୋସୋ ସ୍ଵାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ କରିଛନ୍ତି। ଡାକ୍ତରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀଙ୍କ ପାଇଁ ନୂତନ ଗୃହ ନିର୍ମାଣ ହୋଇଛି । ବିଭିନ୍ନ ପରୀକ୍ଷାନିରୀକ୍ଷା ପାଇଁ ଲ୍ୟାବ ତିଆରି ହେବା ସହିତ କର୍ମଚାରୀ ନିଯୁକ୍ତ ଅଛନ୍ତି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପରେ ସୋସୋ, ବାଲିବରେଇ, ବାଙ୍ଗୋର, ପଢିଆରୀପଲ୍ଲୀ, ଧନୁଜୟପୁର, କେ-ବାଲିପାଳ, ଢେଙ୍କା ଆଦି ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଲୋକମାନେ ଏଠାରୁ ଭଲ ସ୍ବାସ୍ଥ୍ୟସେବା ପାଇବେ ବୋଲି ଆଶା ବାନ୍ଧିଥିଲେ, କିନ୍ତୁ ସେମାନଙ୍କ ଆଶା ପୂରଣ ହୋଇପାରିଲା ନାହିଁ । ତେଣୁ ସେମାନେ ସାମାନ୍ୟ ଟିକିଏ ଅସୁସ୍ଥ ହେଲେ ପଡୋଶୀ ଭଦ୍ରକ ଜିଲାର ଆଗରପଡା ଓ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ଯାଉଛନ୍ତି। ଏହାବାଦ୍ ସେମାନଙ୍କୁ ୨୫କିଲୋମିଟର ଦୂର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଯିବାକୁ ପଡୁଚି । ସୋସୋ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଉପଯୁକ୍ତ ସେବା ଠିକ ଠିକ୍ ଭାବରେ ମିଳୁନଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ବି କିଛି ସୁଫଳ ମିଳୁନି। ତେଣୁ ଆଗମୀ ଦିନରେ ଆନ୍ଦୋଳନ ପାଇ ପାଇ ସଜବାଜ ହେଉଛନ୍ତି। ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ଅନ୍ତି ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।