ଜଳ ନିଷ୍କାସନ ପଥ ଅବରୋଧ : ଥାନାରେ ଦ୍ୱାରସ୍ଥ ହେଲେ ମହିଳା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପାନପଦୀ ଗ୍ରାମରେ ଜଣେ ଅସହାୟ ବିଧବା ମହିଳାଙ୍କ ନିଜସ୍ୱ ଜମିକୁ ଜଳମଗ୍ନ କରାଇବା ସହ ଜଳ ନିଷ୍କାସନ ପଥକୁ ଅବରୋଧ କରାଯିବା ନେଇ ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି l ଏହି ଘଟଣା ବନ୍ତ ତହସିଲରେ ବିଚାରଧୀନ ଥିବାବେଳେ କିଛି ବ୍ୟକ୍ତି ଗଣ୍ଡଗୋଳ କରିବା ସହ କ୍ଷତି ଘଟାଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି l ଅଭିଯୋଗରୁ ପ୍ରକାଶ ଯେ, ଗତ କିଛି ମାସ ତଳେ ପାନପଦୀ ଗ୍ରାମର ସ୍ୱର୍ଗତ ସୁଦର୍ଶନ ବାରିକଙ୍କ ପତ୍ନୀ କାମିନୀ ବାରିକଙ୍କ ବ୍ୟକ୍ତିଗତ ଜାଗା ସମ୍ମୁଖରେ କିଛି ବ୍ୟକ୍ତି ବେଆଇନ ଭାବେ ଜେସିବି ଲଗାଇ ଏକ ନାଳ ଖୋଳିଥିଲେ। ଏନେଇ ସେ ଗତ ଜୁନ ୨୬ରେ ଥାନାରେ ଦ୍ୱାରସ୍ଥ ହୋଇଥିଲେ l ତହସିଲ ମାଧ୍ୟମରେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ କେହି କାହାର ଜାଗା ଖୋଳିବେ ନାହିଁ କିମ୍ବା ଜଳ ନିଷ୍କାସନ ପଥକୁ କେହି ଅବରୋଧ କରିବେ ନାହିଁ ବୋଲି ସେତେବେଳେ ଥାନାରେ ନିଷ୍ପତ୍ତି ହୋଇଥିଲା l ମାତ୍ର ଉକ୍ତ ଘଟଣା ତହସିଲରେ ବିଚାରଧୀନ ଥିବା ବେଳେ ଚଳିତ ଲଗାଣ ବର୍ଷାର ସୁଯୋଗ ନେଇ ଗ୍ରାମର କିଛି ବ୍ୟକ୍ତି ଆକ୍ରୋଶମୂଳକ ଭାବେ ପାଣି ନିଷ୍କାସନ ପାଇଁ ଥିବା ଜିରିଣା ଆର୍.ଡି ରାସ୍ତାର ପାନପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ହୋମ୍ ପାଇପ୍ ମୁହଁକୁ ମାଟି ପକାଇ ଅବରୋଧ କରିଦେଇଛନ୍ତି। ଫଳରେ କାମିନୀଙ୍କ ପରିବା ଚାଷ ଏବଂ ପୋଖରୀ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ପୋଖରୀରେ ଛଡ଼ାଯାଇଥିବା ପ୍ରାୟ ୩୦ ହଜାର ଟଙ୍କାର ମାଛ ଯାଆଁଳ ନଷ୍ଟ ହେବା ସହ ଜମିରେ ଥିବା ଶତାଧିକ ମୂଲ୍ୟବାନ ଆକାଶୀ, ଆମ୍ବ, ନଡ଼ିଆ ଓ ଶାଗୁଆନ ଗଛ ସମେତ ପରିବା ଚାଷ ନଷ୍ଟ ହେବାକୁ ବସିଛି । ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜଳ ନିଷ୍କାସନ ପଥକୁ ଅବରୋଧମୁକ୍ତ କରାଇବା ଏବଂ କ୍ଷତିପୂରଣ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ଏହି ଘଟଣାରେ ପୋଲିସ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି l ସେହିପରି ଜଳ ନିଷ୍କାସନ ପଥକୁ ଅବରୋଧ କରାଯିବା ଫଳରେ ବହୁ ଚାଷ ଜମି ଜଳ ମଗ୍ନ ହେବା ସହ ଧାନ ତଳି ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି l ଜଳ ନିଷ୍କାସନ ପଥକୁ ତୁରନ୍ତ ଅବରୋଧମୁକ୍ତ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l ଏସମ୍ପର୍କରେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ପଚାରିବାରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ