ଓଡ଼ିଆ ପକ୍ଷ ଅବସରରେ ଶିଶୁ କଥା ଦିବସ
କଟକ (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ଆଜି କଟକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ‘ଶିଶୁ କଥା ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। କଟକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋମଳମତି ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭକ୍ତକବି ମଧୁସୂଦନ ରାଓଙ୍କ ଅମର ସୃଷ୍ଟି ‘ମଧୁ ବର୍ଣ୍ଣବୋଧ’ ଏବଂ ବିଭିନ୍ନ ‘ଶିଶୁ ଲେଖା’ ପୁସ୍ତିକା ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।


