ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି. ତୁରୁବୁଡି ଗ୍ରାମର ବଳରାମ ଗୈାଡ(୩୫) ନାମକ ଜଣେ ଯୁବକ ମୁମ୍ବାଇରୁ ଦାଦନ ଖଟିବାକୁ ଯାଇ ଫେରୁଥିବା ବେଳେ ଅସୁସ୍ଥତା କାରଣରୁ ଆନ୍ଧ୍ରପ୍ରଦେଶ ଚନ୍ଦୁର ରେଳ ଷ୍ଟେସନ ରେ ତାଙ୍କର ପ୍ରାୟ ୧ ମାସ ପୂର୍ବେ ମୃତ୍ୟୁ ହୋଇଥିବା ଜଣାପଡିଛି ।ବି. ତୁରୁବୁଡ଼ି ଗ୍ରାମର ଭଗବାନ ଗୌଡ଼ ଙ୍କ ବଡ଼ପୁଅ ବଳରାମ ପରିବାର ପ୍ରତିପୋଷଣ ନିମନ୍ତେ ଦୀର୍ଘ ୧୫ ବର୍ଷ ହେଲା ମୁମ୍ବାଇ ଯାଇ ସେଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବା ସହ ଗାଁ କୁ ଯା ଆସ କରୁଥିଲେ। ଗତ ନଭେମ୍ବର ୭ ତାରିଖରେ ଅନ୍ଯ ୩ ଓଡ଼ିଆ ଶ୍ରମିକ ଙ୍କ ସହ ବ୍ରହ୍ମପୁର ଷ୍ଟେସନ କୁ ଟ୍ରେନ ଯୋଗେ ଫେରୁଥିଲେ । ୮ ତାରିଖରେ ସେ ଆନ୍ଧ୍ରପ୍ରଦେଶର ଚନ୍ଦୁରୁ ଷ୍ଟେସନରେ ଅସୁସ୍ଥତା କାରଣରୁ ଟ୍ରେନ ରୁ ଓହ୍ଲାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବଳରାମ ସହ ଯୋଗାଯୋଗ ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ବଳରାମ ଙ୍କ ମୃତଦେହ ସେଠାକାର ରେଳବାଇ ପୋଲିସ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ପରିଚୟ ଖୋଜିବା ପାଇଁ ଚେଷ୍ଟା ଚଳାଇଥିଲା । କିନ୍ତୁ ତାଙ୍କ ନିକଟରେ ଆଧାର କାର୍ଡ କିମ୍ବା ମୋବାଇଲ ଫୋନ୍ ନଥିବା ଯୋଗୁଁ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ସହ ୩ ଦିନ ହସ୍ପିଟାଲ ରେ ରଖିଥିଲେ। ତାଙ୍କ ପରିଚୟ ଜାଣିବାରେ ବିଫଳ ହେବାପରେ ଶେଷରେ ପୋଲିସ ସେଠାରେ ମୃତଦେହ କୁ ପୋତି ଦେଇଥିଲେ । ଏନେଇ ପରିବାର ବ୍ୟସ୍ତ ବିବ୍ରତ ହୋଇ ଶେଷରେ ବଳରାମଙ୍କ ସହ ଟ୍ରେନ ଯୋଗେ ଆସିଥିବା ଗଞ୍ଜାମ ଜିଲା ଜରଡ଼ା ଥାନା ଖାରିଆଗୁଡା ଅଞ୍ଚଳର ଜଣେ ଯୁବକଙ୍କ ସହ ଯୋଗାଯୋଗ କରିବା ପରେ ସେ ସମସ୍ତ ଘଟଣା ପରିବାର ଲୋକଙ୍କୁ କହିଥିଲେ । ଏହାପରେ ବଳରାମ ଙ୍କ ସ୍ତ୍ରୀ ଓ ଭାଇ କୃଷ୍ଣ ଆନ୍ଧ୍ରପ୍ରଦେଶର ଚନ୍ଦୁରୁ ଷ୍ଟେସନରେ ପହଞ୍ଚି ସେଠାକାର ରେଳବାଇ ପୋଲିସ କୁ ବଳରାମ ଙ୍କ ଫଟୋ ଦେଖାଇବା ପରେ ପୋଲିସ ତାଙ୍କ ପୋଷାକ,ବ୍ୟାଗ ଦେଖାଇବା ସହ ତାଙ୍କରି ମୃତ୍ୟୁ ହୋଇଥିବା କହିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ପରିବାର ଲୋକେ ଘରକୁ ଫେରିଥିଲେ । ବଳରାମ ଙ୍କ ସ୍ତ୍ରୀ ଓ ପୁଅ ଝିଅ ବାପା ଙ୍କୁ ହରାଇ ବାହୁନି ବାହୁନି କାନ୍ଦୁଥିବା ବେଳେ ସନ୍ଧ୍ୟାରେ ତାଙ୍କ ମରଶରୀର ପରିବର୍ତ୍ତେ ପରିବାର ଲୋକେ ଏକ ନଡା ବିଡା କୁ ପ୍ରତୀକାତ୍ମକ ମୃତଦେହ ଭାବେ ସଜାଇ ଗ୍ରାମ ଶ୍ମଶାନକୁ ନେଇ ତାଙ୍କ ଶେଷକୃତ୍ୟ କରିଥିବା ଜଣାପଡିଛି। ତେବେ ତାଙ୍କ ମୃତ୍ୟୁ କିଭଳି ଘଟିଲା ସେ ନେଇ ପରିବାର ଲୋକେ ସନ୍ଦେହରେ ରହିଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସରପଞ୍ଚ ଲିଙ୍ଗରାଜ ଦୋରା ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ କରିଛନ୍ତିି ।


