ମା’, ମାଟି, ମାତୃଭାଷା ସୁରକ୍ଷିତ ରହିଲେ ଓଡ଼ିଶା ସଂଗଠିତ ହେବ

ଭୁବନେଶ୍ୱର (ଓ୍ବାଇଏନଏସ) : ସାମ୍ପ୍ରତିକ ସମୟରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ସମସ୍ୟା ହିଁ ସମସ୍ୟା। ସାହି-ସାହି, ଭାଇ-ଭାଇ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। କେଉଁଠି ସୀମାକୁ ନେଇ ତ କେଉଁ ଭିଟାମାଟିକୁ ନେଇ ଗଣ୍ଡଗୋଳ ସଂଗଠିତ ହେଉଛି। ଆଉ କେଉଁଠି ବିଦେଶୀ ପ୍ରଭାବରେ ପରମ୍ପରାକୁ ଜଳାଞ୍ଜଳି ଦେଇ ମଣିଷ ମଣିଷ ପଣିଆକୁ ଭୁଲିଯାଉଛି। ସଂସ୍କୃତି, ପରମ୍ପରା, ଐତିହ୍ୟ ବିପନ୍ନ ହେବାରେ ଲାଗିଛି। ଏସବୁକୁ ଦୂର କରିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ମା’, ମାଟି, ମାତୃଭାଷାକୁ ସମ୍ମାନ ଦେବାକୁ ହେବ। ନହେଲେ ଏ ସମାଜ ଦିଗହରା ହେବ ବୋଲି ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଲୋକମଞ୍ଚ-୨୦୨୫ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଛନ୍ତି। ବିଶିଷ୍ଟ ରାଜନେତା ତଥା ସ୍ଥାପନାର ଅଧ୍ୟକ୍ଷା ନିବେଦିତା ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଜେପି ଉପସଭାପତି ଗୋଲଖ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆମେ ସମସ୍ତେ ବର୍ତ୍ତମାନ ବିଦେଶୀ ସଂସ୍କୃତିକୁ ଅନୁକରଣ କରି ମାଟି ମା’କୁ ଭୁଲି ଯାଉଛନ୍ତି। ଆମ ପିଲାବେଳେ ମା’ ଆମକୁ ଯେଉଁ କଥା ଶିଖାଇଥିଲା, ତାହାକୁ ଶିଖି ଆମେ ବଡ଼ ହୋଇଛୁ। କିନ୍ତୁ ଆଜିର ବାପମାଆମାନେ ପୁଅ କିପରି ପରୀକ୍ଷାରେ ଶହେ ପ୍ରତିଶତ ନମ୍ବର ରଖି ବିଦେଶରେ ବଡ଼ ଚାକିରି କରିବ, ସେହି ଚିନ୍ତାରେ ରହିଛନ୍ତି। କିନ୍ତୁ ଦେଖାଯାଉଛି ପିଲାମାନେ ବିଦେଶରେ ରହି ବାପାମାଆଙ୍କ ପାଖକୁ ଫେରୁନାହାଁନ୍ତି। ଫଳରେ ଜନ୍ମକଲା ବାପାମାଆ ଜରାଶ୍ରମରେ ରହି ଦିନ କାଟୁଛନ୍ତି। ସେହିପରି ମୁଖ୍ୟବକ୍ତା ଭାବେ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା କହିଥିଲେ ଯେ, ଆମେମାନେ ବିକାଶନ୍ମୋମୁଖୀ ହୋଇଛୁ ସତ, କିନ୍ତୁ ମାଟି ମା’କୁ ଭୁଲିଯାଇଛୁ। ମାତୃଭୂମି, ମାତୃଭାଷା ପ୍ରତି ଆମର ଯେଉଁ ମମତା ରହିବା କଥା ତାହା ରହୁନାହିଁ। ଫଳରେ ଆମେ ଏବେ ଦିଗହରା ହୋଇ ବୁଲୁଛୁ। ତେଣୁ ଆମକୁ ଏକାଠି ହୋଇ ମା’, ମାଟି ଓ ମାତୃଭାଷାକୁ ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ସେହିପରି ଅନ୍ୟତମ ଅତିଥିଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନାରାୟଣ ମହାନ୍ତି, ବରିଷ୍ଠ ରାଜନେତା ଯଜେ୍ଞଶ୍ୱର ବାବୁ, ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ସୁରେଶ କୁମାର ଦାଶ ପ୍ରମୁଖ ଯୋଗଦେଇ ଲୋକମଞ୍ଚର ଆଭିମୁଖ୍ୟ ଓ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପରବର୍ତ୍ତୀ ଅଧିବେଶରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଶତାଧିକ ମହିଳା ଓ ପୁରୁଷଙ୍କ ବିଭିନ୍ନ ସମସ୍ୟା ଉପରେ ସମାଜସେବୀ ସ୍ୱୟଂପ୍ରଭା ସାହୁ, ମାନବାଧିକାର ଫେଡ଼େରେସନର ଅଧ୍ୟକ୍ଷ ଶୁଭାଶିଷ ପଟ୍ଟନାୟକ, ସମାଜସେବୀ ଶିବ ପ୍ରସାଦ ମିଶ୍ର, ସୁମିତ୍ରା ମହାପାତ୍ର, ଶିଶିର କୁମାର ରାଉତରାୟ ଓ ଖ୍ୟାତିସମ୍ପନ୍ନ କ୍ରୀଡ଼ାବିତ ମିନତୀ ମହାପାତ୍ର ପ୍ରମୁଖ ଆଲୋଚନା ଓ ଏହାର ସମାଧାନ ଦିଗରେ ମତ ରଖିଥିଲେ। ଏହି ଅବସରରେ ଲୋକମଞ୍ଚକୁ ନେଇ ଗଠିତ ରାଜ୍ୟ କମିଟିର ୨୦ ଜଣ ବ୍ୟକ୍ତି ଓ ସଂଗଠକଙ୍କୁ ସମ୍ମାନିତ କରାଯିବା ସହ ପୁରୀର ଶ୍ରୀଧାମ କଲଚରାଲ ଏକାଡ଼େମୀ ସମେତ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସରୋଜ ଭୂୟାଁ ସଂଯୋଜନା କରିଥିବା ବେଳେ ଶେଷରେ ଡ. ମାଧବାନନ୍ଦ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ