ସ୍କୁଲକୁ ଆସୁନାହାନ୍ତି ଶିକ୍ଷକ, ପ୍ରତିବାଦରେ ୩ ବିଦ୍ୟାଳୟରେ ୨ ଦିନ ଧରି ତାଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାଯତର ଆନ୍ଧ୍ର ସୀମାନ୍ତର ୩ଟି ବିଦ୍ୟାଳୟରେ ଗତକାଲି ସୋମବାର ଓ ଆଜି ମଙ୍ଗଳଵାର ତାଲା ପକାଇ ପ୍ରତିବାଦ କରିଛନ୍ତି ସରପଞ୍ଚ ଏବଂ ଏହି ଅଞ୍ଚଳର ଅବିଭାବକ ଓ ଗ୍ରାମବାସୀ। ଏହି ପଞ୍ଚାୟତର ମାଣିକପାଟଣା, ଚମ୍ପାପୁର ଓ ଶଗଡ଼ିଆ ବିଦ୍ୟାଳୟରେ ଗତକାଲି ଠାରୁ ଆଜି ଖବର ଲେଖିବା ପର୍ଯ୍ୟନ୍ତ ତାଲା ସେପରି ଭାବେ ଝୁଲି ରହିଛି। ସ୍କୁଲକୁ ଶିକ୍ଷକ ଠିକ ସମୟରେ ଆସୁ ନ ଥିବା ଓ ପାଠ ପଢ଼ାଇବାରେ ଅନିୟମିତତା ଅଭିଯୋଗ କରିଛନ୍ତି ଅବିଭାବକ। ଗଜପତି ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷାଧିକାରୀ ୩ଟି ସ୍କୁଲ ଥିବା ଅଞ୍ଚଳରେ ପହଞ୍ଚି ଅନୁଧ୍ୟାନ ନ କଲା ପର୍ଯ୍ୟନ୍ତ ଏହି ୩ଟି ସ୍କୁଲରେ ଏପରି ଭାବେ ତାଲା ଝୁଲି ରହିବ ବୋଲି ସେମାନେ ଜଣାଇଛନ୍ତି। ନିଜ ଇଚ୍ଛା ଅନୁସାରେ ଶିକ୍ଷକମାନେ ବିଦ୍ୟାଳୟକୁ ଆସୁଥିବା ବେଳେ ଅଧିକାଂଶ ସମୟରେ ପାଳି କରି ଆସୁଛନ୍ତି ଶିକ୍ଷକ । ପାଠ ପଢ଼ାଇବା ନେଇ ଶିକ୍ଷକଙ୍କ କୌଣସି ଆନ୍ତରିକତା ନଥିବା ଯୋଗୁଁ ପ୍ରାଥମିକସ୍ତରରେ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ବାଧାପ୍ରାପ୍ତ ହେଉଛି। ପଞ୍ଚମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ବିଦ୍ୟାଳୟର ପ୍ରବେଶ ପରୀକ୍ଷାରେ ବିଫଳ ହେଉଛନ୍ତି ଏଠାକାର ଛାତ୍ରଛାତ୍ରୀ । ଯାହାକୁ ନେଇ ଗତକାଲି ସୋମବାର ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଯ୍ୟ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । କେଉଁଠି ଜଣେ ଶିକ୍ଷକ ତ ଅନ୍ୟ କେଉଁଠି ଶିକ୍ଷକ ସ୍କୁଲକୁ ଆସୁ ନ ଥିବା ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା କରି ମାଣିକପାଟଣା, ଚମ୍ପାପୁର ଓ ଶଗଡିଆ ସ୍କୁଲରେ ତାଲା ପକାଇ ପ୍ରତିବାଦ କରାଯାଇଛି। ଆଦିବାସୀ ଅଧ୍ୟଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟର ଭିଭିଭୂମିର ବିକାଶ ସହ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ଏଠି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । ଗ୍ରାମବାସୀ ଏନେଇ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପରିବର୍ତ୍ତନ ହେଉ ନ ଥିବାରୁ ଏଥିରେ ଅତିଷ୍ଠ ହୋଇ ଶେଷରେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଯାଙ୍କ ସମେତ ଅଭିଭାବକ ତଥା ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଏହି ୩ଟି ବିଦ୍ୟାଳୟରେ ପହଞ୍ଚି ସତ୍ୟାସତ୍ୟ ଅନୁଧ୍ୟାନ କରିବା ସହ ବିହିତ ପଦକ୍ଷେପ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଉପରୋକ୍ତ ୩ଟି ବିଦ୍ୟାଳୟରୁ ତାଲା ଖୋଲା ଯିବ ନାହିଁ। ଗତକାଲି ଏହି ଘଟଣା ନେଇ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଆଜି ମଙ୍ଗଳଵାର ଅପରାହ୍ନ ସୁଦ୍ଧା ଜିଲ୍ଲାପାଳ କିମ୍ବା ଜିଲ୍ଲାଧିକାରୀ ଏଠାରେ ନ ପହଞ୍ଚିବା ଦୁଃଖ ଓ ଉଦବେଗର କାରଣ ଅଟେ ବୋଲି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରି କହିଛନ୍ତି।


