ଟେଙ୍କର ଦୁର୍ଘଟଣାରେ ଜଣେ ଆହତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରାେଧ
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ ): ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ ଵିଜାମଣ୍ଡଳୀ ଗ୍ରାମ ନିକଟରେ ଏକ ଟେଙ୍କର ଟ୍ରକ୍ ଧକ୍କାରେ ଜଣେ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ରାସ୍ତା ପାର ହୋଇ ଯାଉଥିବା ବ୍ୟକ୍ତିକୁ ପାଇଡର ବୋଝେଇ ଟେଙ୍କର ଧକ୍କା ଦେବା ଫଳରେ ତାର ଗୋଡ ଭାଙ୍ଗିଯାଇଛି।ଆହତ ବ୍ୟକ୍ତି ଜଣକ ହେଲେ ବିଜାମଣ୍ଡଳୀ ଗ୍ରାମର ତ୍ରିଲୋଚନ କାଡ୍ରାକା ବୋଲି ଜଣାପଡିଛି,ସେ ଜଣେ ଦିନ ମଜୁରୀଆ ହୋଇଥିବାରୁ କ୍ଷତି ପୂରଣ ଦାବିରେ ଦହିଖାଲ ଠାରୁ ଵିଜାମଣ୍ଡଳୀ ଦେଇ ଯାଇଥିବା ଲାଞ୍ଜିଗଡ଼ ରାସ୍ତାକୁ ଗ୍ରାମବାସୀ ମାନେ ଅବରୋଧ କରିଥିବା ଜଣାପଡିଛି। ବେଦାନ୍ତ କମ୍ପାନୀରୁ ବକ୍ସାଇଟ ପାଉଡର ବୋଝେଇ ହୋଇ ଆସୁଥିବା ଶହଶହ ଟେଙ୍କର ସହ ଅନ୍ୟ ଯାନବାହାନ ସବୁ ଅଟକି ରହିଛି। କମ୍ପାନୀ ଆହତ ପରିବାରକୁ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ରାସ୍ତାରୋକ ହଟାଯିବ ନାହିଁ ବୋଲି ମୁନିଗୁଡା ବ୍ଳକ୍ କଂଗ୍ରେସ ସଭାପତି ନିଳାମ୍ବର ବିଭାର ଓ ଶିବପଦର ଅଞ୍ଚଳର ସମାଜସେବୀ ରାଧାମୋହନ ଟାକ୍ରି ସୂଚନା ଦେଇଛନ୍ତି। ଅପରପକ୍ଷରେ ପୋଲିସ ପହଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କ୍ଷତିପୂରଣ ଦାବିରେ ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ରହି ରାସ୍ତା ଅବରୋଧ କରିଥିବା ଦେଖାଯାଇଛି ।


