ପଲ୍ଲୀଠୁ ଦିଲ୍ଲୀ ଯାଏଁ ଲମ୍ବିଥିବା ଅନଲାଇନ୍ ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ୍‌, ୪ ଗିରଫ

ଛତ୍ରପୁର, (ଓ୍ବାଇଏନଏସ) : ସରକାରଙ୍କ ଠାରୁ ଆରମ୍ଭ କରି ପୁଲିସ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଇବର ଠକେଇ ଠାରୁ ଦୂରେଇ ରହିବା ପାଇଁ ସଚେତନତା କରାଯାଉଥିଲେ ସୁଦ୍ଧା ଜନସାଧାରଣଙ୍କ ଆହୁରି କେଉଁଠି ନା’ କେଉଁଠି ସଚେତନର ଅଭାବ ରହିଛି । ଫଳରେ ବାରମ୍ବାର ସାଇବର ଠକେଇ ଭଳି ବିଭିନ୍ନ ଠକେଇ ମାମଲା ଗୁଡିକରେ ଜନସାଧାରଣ ଛନ୍ଦି ହୋଇଯାଉଛନ୍ତି । ଆଜି ଏଭଳି ପଲ୍ଲୀଠୁ ଦିଲ୍ଲୀ ଯାଏଁ ଏକ ଅନ୍‌ଲାଇନ୍ ସାଇବର ଠକେଇର ଚେର ଛତ୍ରପୁର ପୁଲିସ ହାତରେ ପଡିଛି । ଦୀର୍ଘ ୨ ବର୍ଷ ହେଲା ପଲ୍ଲୀଠୁ ଦିଲ୍ଲୀ ଯାଏଁ ଚାଲିଥିବା ଏହି ଅନ୍‌ଲାଇନ୍ ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଛତ୍ରପୁର ପୁଲିସ । ଏହି ଘଟଣା ସଂପର୍କରେ ରବିବାର ଛତ୍ରପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡେଇ ସମସ୍ତ ପ୍ରକାର ସୂଚନା ଦେଇଛନ୍ତି ।  ବର୍ଷ ବର୍ଷ ଧରି ଚାଲିଥିବା ଏହି ଅନ୍‌ଲାଇନ୍ ସାଇବର ଠକେଇ ମାମଲାରେ ଛତ୍ରପୁର ଥାନା ପକ୍ଷରୁ ୭୮୦ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ବ୍ୟାଙ୍କ୍ ଜମାଖାତା, ୫ଟି ମୋବାଇଲ୍‌, ଗୋଟିଏ ଏଟିଏମ୍ କାର୍ଡ ଓ ଗୋଟିଏ ଆଧାରକାର୍ଡ ଜବତ କରାଯାଇଛି । ଜବତ ହୋଇଥିବା ୨ଟି ବ୍ୟାଙ୍କ୍ ଜମାଖାତାରେ ୮ ଲକ୍ଷ ଟଙ୍କା ଅନ୍‌ଲାଇନ୍ ଦେଣନେଣ ହୋଇଥିବା ଜଣାପଡିଛି । ଗିରଫ ୪ ଜଣ ହେଲେ ଛତ୍ରପୁର ଗଣେଶନଗର ପ୍ରଥମ ଲାଇନ୍‌ର କେ.ଅନୀଲ୍ ପାତ୍ର, ନିଳକଣ୍ଠସାହିର ଗଗନ ଦଳାଇ, ହୁମ୍ମାର ଶଙ୍କର୍ଷଣ ସାହୁ ଏବଂ ରମ୍ଭା ଥାନା କୁଜିଢ଼େପ ଗ୍ରାମର ପବିତ୍ର ପ୍ରଧାନ । ଏହି ଘଟଣାର ମାଷ୍ଟର ମାଇଣ୍ଡ୍ ହେଉଛି କୁଜିଢ଼େପ ଗ୍ରାମର ପବିତ୍ର ପ୍ରଧାନ । ସେ ଗତ ୨ ବର୍ଷ ହେଲା ଫେସ୍‌ବୁକ୍ ସାଙ୍ଗ ଦିଲ୍ଲୀ ଅଂଚଳର ମୁଖ୍ୟ ମାଷ୍ଟର ମାଇଣ୍ଡ ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ସହ ଯୋଗାଯୋଗ କରି ଅନ୍‌ଲାଇନ୍ ମାଧ୍ୟମରେ ସାଇବର ଠକେଇ ଚଲାଇଥିଲେ । ପବିତ୍ର ଛତ୍ରପୁର ଓ ଗଞ୍ଜାମ ଅଂଚଳର ମଧ୍ୟସ୍ଥିଙ୍କ ମାଧ୍ୟମରେ ପ୍ରାୟ ୭୦ ରୁ ୮୦ ଜଣଙ୍କ ବ୍ୟାଙ୍କ୍ ଜମାଖାତା ଖୋଲିଛନ୍ତି । ହିତାଧିକାରୀଙ୍କ ଆଧାରକାର୍ଡ ମାଧ୍ୟମରେ ସିମ୍ ପ୍ରସ୍ତୁତ କରି ବିଭିନ୍ନ ବ୍ୟାଙ୍କ୍ ଗୁଡିକରେ ଜମାଖାତା ଖୋଲିଛନ୍ତି । ଉକ୍ତ ଜମାଖାତା ଗୁଡିକ କୋରିଅର ମାଧ୍ୟମରେ ଦିଲ୍ଲୀର ରଜତ ଶର୍ମାଙ୍କ ନିକଟକୁ ପବିତ୍ର ପଠାଉଥିଲେ । ଗୋଟିଏ ଜମାଖାତା ପିଛା ରଜତ ଶର୍ମା ପବିତ୍ରକୁ ୧୮ ହଜାର ଟଙ୍କା ଦେଉଥିଲେ । ସେଥିରୁ ପବିତ୍ର ୭ ହଜାର ଟଙ୍କା ରଖି ବାକି ୧୧ ହଜାର ଟଙ୍କା ମଧ୍ୟସ୍ଥିମାନଙ୍କୁ ଦେଉଥିଲେ । ମଧ୍ୟସ୍ଥିମାନେ ଆକାଉଂଟ ହିତାଧିକାରୀ ୩ ରୁ ୫ ହଜାର ଟଙ୍କା ଦେଇ ବାକି ଟଙ୍କା ରଖୁଥିଲେ । ଏହାପରେ ଦିଲ୍ଲୀର ରଜତ ଶର୍ମା ଏଠାରୁ ସଂଗ୍ରହ ହୋଇଥିବା ଜମାଖାତା ଗୁଡିକୁ ଅନ୍‌ଲାଇନ୍ ବିଭିନ୍ନ ପ୍ରକାର ଖେଳ ତଥା ଠକେଇରେ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ । ବହୁଦିନ ଧରି ଏହିପରି ଅନଲାଇନ୍ ସାଇବର ଠକେଇ ଚାଲିଥିବା ବେଳେ ଛତ୍ରପୁର ଅଂଚଳର ଦିଲ୍ଲୀପ କୁମାର ଭୋଲାଟି ଓ କେ.ମଣିକାନ୍ତ ରାଓଙ୍କ ଦୁଇଟି ଜମାଖାତା ଗଲାମାସ ୨୬ ଓ ୨୭ ତାରିଖରେ ଛତ୍ରପୁର ସ୍ଥିତ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରେ ଖୋଲାଯାଇଥିଲା । ସେ ହୁହେଁ କିଭଳି ଚତୁରତାର ଜମାଖାତା ଖୋଲିଲା ବେଳେ ସହ ସେମାନଙ୍କ ଇମେଲ୍ ଠିକଣା ଦେଇଥିଲେ । ଫଳରେ ଅନ୍‌ଲାଇନ୍ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ ଇମେଲ୍ ମାଧ୍ୟମରେ ଜାଣିପାରିଥିଲେ । ଏହାପରେ ଦୁହେଁ ବ୍ୟାଙ୍କ୍ ଯାଇ ସେମାନଙ୍କ ଡ୍ୟୁପ୍ଲିକେଟ୍ ଜମାଖାତା ବାହାର କରିଥିଲେ । ସେଥିରେ ଜାଣିପାରିଲେ ଯେ ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ଜମାଖାତାକୁ ଆସୁଛି ପୁଣି ଉଠାଯାଇଛି । ଏହାଜାଣିବା ପରେ ସେମାନେ ତୁରନ୍ତ ଛତ୍ରପୁର ଥାନା ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଖୋଳତାଡ ଆରମ୍ଭ କରିଥିଲା । ଘଟଣାର ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲଙ୍କ ପ୍ରାଥମିକ ତଦନ୍ତରେ ଏହି ଅନ୍‌ଲାଇନ୍ ସାଇବର ଠକେଇରେ ମୁଖ୍ୟ ଏଜେଣ୍ଟ କୁଜିଢ଼େପ ଗ୍ରାମର ପବିତ୍ର ପ୍ରଧାନ ଛତ୍ରପୁର ଅଂଚଳର କେ.ଅନୀଲ୍ ପାତ୍ର, ଗଗନ ଦଳାଇ ଓ ହୁମ୍ମା ଅଂଚଳର ଶଙ୍କରର୍ଷଣ ସାହୁଙ୍କ ମାଧ୍ୟମରେ ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଂଚଳର ପ୍ରାୟ ୭୦ ରୁ ୮୦ ଜଣଙ୍କ ନାମରେ ବିଭିନ୍ନ ବ୍ୟାଙ୍କ୍ ଗୁଡିକରେ ଜମାଖାତା ଖୋଲାଯାଇଛି । ଏହି ବାବଦରେ ମୁଖ୍ୟ ଏଜେଣ୍ଟ ପବିତ୍ର ପ୍ରଧାନ ପ୍ରାୟ ୧୫ ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ମଧ୍ୟସ୍ଥିମାନେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଏହି ଘଟଣାର ବିଶେଷ ରହିଛି ଯେଉଁମାନଙ୍କ ଜମାଖାତା ଖୋଲାଯାଇଥିଲା ସେମାନେ ଏହି ଅନ୍‌ଲାଇନ୍ ସାଇବର ଠକେଇ ବିଷୟରେ କୌଣସି ଅବଗତ ହୋଇପାରୁନଥିଲେ । ସେମାନଙ୍କ ନିକଟରେ ଜମାଖାତା କିମ୍ବା କୌଣସି ସୂଚନା ରହୁନଥିଲା । ଜମାଖାତା ଖୋଲିବା ପରେ ସେମାନଙ୍କୁ ୩ ରୁ ୫ ହଜାର ଟଙ୍କା ଦେଇଦେବା ପରେ ସେମାନେ ମଧ୍ୟ ଏତେ ଟଙ୍କା ମିଳିଲା ତ ଆଉ କ’ଣ କିଛି ହେଉଛି ମୁଣ୍ଡ ପୁରାଉନଥିଲେ । ଯେତେବେଳେ ଛତ୍ରପୁର ଅଂଚଳର ଏହି ଦୁଇଜଣ ଶିକ୍ଷିତ ଯୁବକଙ୍କ ଜମାଖାତା ଖୋଲିବା ପରେ ସେମାନେ ଯେତେବେଳେ ତାଙ୍କରି ଜମାଖାତାକୁ ନେଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ ଚାଲିଛି ତାହା ପରେ ଘଟଣାର ଖୋଳତାଡ ଆରମ୍ଭ ହୋଇଥିଲା । ଆଗକୁ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରହିବ । ସମସ୍ତ ଆକାଉଂଟ ହିତାଧିକାରୀଙ୍କ ତାଲିକା ସଂଗ୍ରହ କରି ଘଟଣାର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରାଯିବ ବୋଲି ଛତ୍ରପୁର ଏସ୍‌ଡିପିଓ ଶ୍ରୀ ଘଡେଇ କହିଛନ୍ତି । ଅନ୍ୟପକ୍ଷରେ ଏହି ଅନ୍‌ଲାଇନ୍ ସାଇବର ଠକେଇର ମୁଖ୍ୟ ଏଜେଣ୍ଟ କୁହାଯାଉଥିବା କୁଜିଢ଼େପ ଗ୍ରାମର ପବିତ୍ର ପ୍ରଧାନ ମଧ୍ୟ ଘଟଣା ସଂପର୍କରେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, କିପରି ଜମାଖାତା ଖୋଲିବା ପରେ ଏଠାରୁ ଦିଲ୍ଲୀକୁ ପଠାଉଥିଲେ ଏବଂ ସେହି ଜମାଖାତା, ଏଟିଏମ୍‌, ନେଇ ଅନ୍‌ଲାଇନ୍ ଜରିଆରେ ବିଭିନ୍ନ ଗେମିଂ ଓ ଠକେଇ କରି ଲକ୍ଷ ଲକ୍ଷ ଟଙ୍କା କାରବାର କରୁଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ