ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ

ଅସ୍ତରଙ୍ଗ/କାକଟପୁର:(ଶୁଭାଶିଷ ଖଣ୍ଡୁଆଳ):-ପୁରୀଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାରରେ “ମା ଲଷ୍ମୀ କ୍ଳବ୍” ଆନୁକୂଲ୍ୟରେ ଆୟୋଜିତ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଦୀର୍ଘ ୭ଦିନ ଧରି ଅନୁଷ୍ଠିତ ହେବାପରେ ୨୩ ତାରିଖରେ ଶେଷ ହୋଇଥିଲା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଭା ସମ୍ପନ୍ନ କଳାକାର ମାନଙ୍କୁ ନେଇ ବିଭିନ୍ନ ଅନୁଷ୍ଠାନ ସେମାନଙ୍କର ନାଟ୍ୟ କଳା ପ୍ରଦର୍ଶନ କରିଥିଲେ। ବିଶିଷ୍ଟ ନାଟ୍ୟକାର ହେମି ସାମଲ ଓ ରାଜଗୁରୁ ବିଜୟ ଦାସ ବିଚାରକ ଭାବେ ଯୋଗଦେଇଥିଲେ। ୬ଟି ନାଟକ ମଧ୍ୟରୁ ବିଚାରକ ଦ୍ୱୟ ବାବା ନୀଳକଣ୍ଠେଶ୍ଵର ନାଟ୍ୟ ସଂସଦ ଘାଟିକିଆ ଭୁବନେଶ୍ୱର ‘କିଏ ପୋଛିଦେବ ଆଖିର ଲୁହ’ ନାଟକ ପ୍ରଥମ ସ୍ଥାନ, ଆରିୟନ୍ କ୍ରିୟୁ ଭୁବନେଶ୍ୱର ନାଟକ ‘ଆଖି କାନ୍ଦୁଛି ଲୁହ ସରୁନି’ ଦ୍ୱିତୀୟ ସ୍ଥାନ ରୂପେ ପୁରସ୍କୃତ କରା ଯାଇଥିଲା। ଏତଦ ବ୍ୟତୀତ ନିମାପଡ଼ା ଟାଉନକ୍ଲବ ଦ୍ୱାରା ପରିବେଷିତ ‘ମୋ ପ୍ରେମରେ ଲାଗିଲା କାହା ନଜର’ ନାଟକର ଖଳନାୟକ ଅକ୍ଷୟ ବେହେରା, ଚରିତ୍ର ଅଭିନେତା ଅରୁଣ ମହାପାତ୍ର ଏବଂ ନାୟିକା ପ୍ରତିଭା ମହାରଣାଙ୍କୁ ବଳିଷ୍ଠ ଅଭିନୟ ନିମନ୍ତେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଯୁବ ଉଦ୍ୟୋଗ ପତି ଜଗନ୍ନାଥ ବେହୁରା ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫୦ ହଜାର, ୪୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ଳବ୍ ସଭାପତି ତରୁଣ ତପନ ସ୍ୱାଇଁ, ସମ୍ପାଦକ ପବିତ୍ର କୁମାର କାଣ୍ଡି , ଉପଦେଷ୍ଟା ଚିତ୍ରେସେନ ପ୍ରଧାନ, ପ୍ରଶାନ୍ତ କୁମାର ଭୋଳ, ଉପ ସଭାପତି ହରିହର ମହାନ୍ତି ଓ ସାଂସ୍କୃତିକ ସମ୍ପାଦକ ଦେବାଶିଷ ବାରିକ୍ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ