ପାନ ମସଲା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ ଘଟଣା :୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ଛକ ନିକଟରେ ଜଣେ ପାନମସଲା ବ୍ଯବସାୟୀଙ୍କୁ ମାଡମାରି ଟଙ୍କା ଲୁଟି ନେବା ଘଟଣାରେ କେ. ନୂଆଗାଁ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି।ସେମାନେ ହେଲେ କେ. ନୂଆଗାଁ ଥାନା କୁମ୍ଭରଡା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ପ୍ରଧାନ, ନୂଆପଡା ଗ୍ରାମର ନାନା ଓରଫ ନୃସିଂହ ପ୍ରସାଦ ପଣ୍ଡା, ଜଗମୋହନ ପୁର ଗ୍ରାମର ଦୀପକ ଗୌଡ ଏବଂ ଦିଗପହଣ୍ଡି ଥାନା ଲଙ୍ଗଳଦେଇ ଗ୍ରାମର କାଳିଆ ଦାସ।ଗତ ଜୁଲାଇ ୨୨ ତାରିଖ ରେ ଅଭିଯୁକ୍ତ ମାନେ ଶେରଗଡ ଥାନା ଧବଳପୁର ଗ୍ରାମର ମସଲା ବ୍ଯବସାୟୀ କ୍ରିଷ୍ଣା କୁମାର ବିଷୋୟୀଙ୍କ ପିକଅପ୍ ଭ୍ଯାନ କୁ ଅଟକାଇ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ଜୋର ଜବରଦସ୍ତ ନିକଟସ୍ଥ ଜଙ୍ଗଲ ଆଡକୁ ନେଇଯାଇଥିଲେ।ସେଠାରେ ତାଙ୍କୁ ମାଡମାରି ମସଲା ବିକ୍ରିକରି ସେ ଧରିଥିବା ୪ ଲକ୍ଷ ଟଙ୍କା ସମେତ ଏକ ମୋବାଇଲ ଫୋନ ଛଡାଇ ନେଇ ଯାଇଥିଲେ।ଘଟଣା ସମ୍ପର୍କରେ ବ୍ଯବସାୟୀ ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ଥାନା ମାମଲା ନଂ. ୨୪୪/୨୫ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।ମାମଲାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଦୀପକ ଏବଂ କାଳିଆକୁ ତାମିଲନାଡୁର କୋଏମ୍ବାଟୁର ସହରରୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ସେମାନଙ୍କ ଗ୍ରାମରୁ ଗିରଫ କରିଥିଲା।ଏପରିକି ଅଭିଯୁକ୍ତ କାଳିଆ ଙ୍କ ଠାରୁ ନଗଦ ୪୫ ହଜାର ଟଙ୍କା ଏବଂ ଏକ ଭିଭୋ ମୋବାଇଲ ମଧ୍ୟ ଜବତ କରିଥିଲା।ମଙ୍ଗଳବାର ଗିରଫ ସମସ୍ତ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।