୧୦ ଦଫା ଦାବି ପୁରଣ ନ ହେବାରୁ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପଂଚାୟତ ପ୍ରତିନିଧିଙ୍କ ଗଣଧାରଣା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବ୍ଳକର ବିଭିନ୍ନ ପଂଚାୟତର ପ୍ରତିନିଧିମାନେ ୧୦ଦଫା ଦାବିକୁ ନେଇ ଗଣଧାରଣା ଦେଇଛନ୍ତି। ଏସଂକ୍ରାନ୍ତରେ ପଂଚାୟତ ପ୍ରତିନିଧିମାନଙ୍କର ମିଳିତ ସ୍ୱାକ୍ଷରରେ ଏକ ଦାବିପତ୍ର ଅକ୍ଟୋବର ୧୩ ରେ ବିଡିଓ ନିରଞ୍ଜନ ପରିଡାଙ୍କୁ ପ୍ରଦାନ କରାଯାଇଥିଲା। ୭ ଦିନ ମଧ୍ୟରେ ଦାବି ଗୁଡିକ ସମାଧାନ କରା ନଗଲେ ପ୍ରଥମେ ଗଣଧାରଣା ଓ ପରେ ଆମରଣ ଅନଶନ କରିବାକୁ ଚେତାବନୀ ପ୍ରଦାନ କରାଯାଇଥିଲା। ଯେଉଁ ପର୍ଯ୍ୟନ୍ତ ଦାବି ଗୁଡିକ ପୁରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପଂଚାୟତ ପ୍ରତିନିଧିମାନେ ସୂଚନା ପ୍ରଦାନ କରିଛନ୍ତି। ଉକ୍ତ ଗଣଧାରଣାରେ ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ରୋହିଆ ସରପଂଚ ହେମାମାଳିନୀ ମହାନ୍ତି, କୋରୁଅ ସରପଂଚ ସଂଧ୍ୟାରାଣୀ ବେହେରା, ଶିଖର ସରପଂଚ କବିତା ନାୟକ, ଜାମୁଗାଁ ସରପଂଚ ସୁଭ୍ରସ୍ମୃତୀ ପରିଡା, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା,ଗଳଧାରୀ ସରପଂଚ ଦିଲ୍ଲିପ ନାୟକ, ନୂଆଗାଁ ସରପଂଚ ଦୋଳଗୋବିନ୍ଦ ରାଉଳ, ଡାବର ସଭ୍ୟ ସୁବଳ ବେହେରା, ଘୋଡାଂଶ ସଭ୍ୟ ତରୁଣକାନ୍ତ ବାରିକ, ବଛାଳୋ ପଂଚାୟତ ସଭ୍ୟ ଚନ୍ଦନ ଲେଙ୍କା, ନାଉଗାଁ ସଭ୍ୟା ମାନସୀ ଲେଙ୍କା ଆଦି ବସି ରହିଥିଲେ। ୧୦ଦଫା ଦାବି ଗୁଡିକ ମଧ୍ୟରେ ରହିଛି ବ୍ଳକର ବିଭିନ୍ନ ପଂଚାୟତରେ ପଡି ରହିଥିବା ଜିଆଇଏ ପ୍ରକଳ୍ପ ଗୁଡିକ କାର୍ଯ୍ୟାଦେଶ ଦିଆଯାଇ ପଂଚାୟତ ସମିତି ନିଷ୍ପତି ଅନୁସାରେ କାର୍ଯ୍ୟକାରୀ କରିବା, ପଂଚାୟତ ସମିତି ସଭ୍ୟମାନଙ୍କର ହାତ ପାଣ୍ଠି ଖର୍ଚ୍ଚ କରିବା ବିଳମ୍ବ ସମ୍ବନ୍ଧେ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ହୋଇଥିବା ଅନିୟମିତତା ସମ୍ବନ୍ଧେ, ପଂଚାୟତ ସମିତି ସହିତ ପରାମର୍ଶ ନକରି ବିଭିନ୍ନ ପଂଚାୟତରେ ୩-୪ ମାସ କାର୍ଯ୍ୟ କରିଥିବା ପିଇଓଙ୍କୁ ସରକାରୀ ନିୟମ ବିରୁଦ୍ଧରେ ବଦଳି କରି ପଂଚାୟତ କାର୍ଯ୍ୟକୁ ମନ୍ଦ ଉଦ୍ଦେଶ୍ୟରେ ବନ୍ଦ କରିବା, ବିଗତ ପଂଚାୟତ ସମିତି ଗୁଡିକରେ ନିଆଯାଇଥିବା ନିଷ୍ପତି ଗୁଡିକ କାର୍ଯ୍ୟକାରୀ କରୁନଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ପଂଚାୟତ ସମିତି ବିନା ଅନୁମତିରେ ଭାଉଚର ମାଧ୍ୟମରେ ହେଉଥିବା ଖର୍ଚ୍ଚ ଗୁଡିକର ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ତଦନ୍ତ ପାଇଁ ସୁପାରିଶ, ବ୍ଳକର ବିଗତ ଦିନରେ ପାଳନ ହୋଇଥିବା ଜାତୀୟ ପଂଚାୟତିରାଜ ଦିବସ, ସୁଭଦ୍ରା ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ନିମନ୍ତେ ବ୍ଳକସ୍ତରୀୟ ସମାବେଶ ଆୟୋଜନ ହୋଇଥିବା ଖର୍ଚ୍ଚରେ ବିଧିବଦ୍ଧ ତଦନ୍ତ, ବ୍ଳକର କୌଣସି କାର୍ଯ୍ୟକ୍ରମରେ ଜନପ୍ରତିନିଧିମାନଙ୍କୁ ଚିଠି ଅବଗତ କରାଯାଇ ନଥିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପୂର୍ଣ୍ଣ ହେଉଥିଲେ ମଧ୍ୟ ବିଲ ପ୍ରଦାନରେ ଅହେତୁକ ବିଳମ୍ବ, ଗ୍ରାମପଂଚାୟତ ଗୁଡିକର ବିଭିନ୍ନ ଅର୍ଥରାଶି ବ୍ଳକ କାର୍ଯ୍ୟଳୟରେ ପଡିରହିଥିଲେ ମଧ୍ୟ ତାହା ଗ୍ରାମପଂଚାୟତକୁ ହସ୍ତାନ୍ତର ନ କରିବା ଆଦି ଦାବି ରହିଛି। ବିଡିଓଙ୍କ ସମେତ ଉକ୍ତ ଦାବିପତ୍ରର ନକଲ ମୁଖ୍ୟ ଶାସନ ସଚିବ, ପଂଚାୟତିରାଜ ସଚିବ,ଓଡିଶା ସରକାର, ଜିଲାପାଳ ଜଗତସିଂହପୁର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜିଲା ପରିଷଦ ଜଗତସିଂହପୁର ଆଦିଙ୍କୁ ଅବଗତ କରାଯାଇଥିଲା। ଗଣଧାରଣାସ୍ଥଳକୁ ବିଡିଓ ପରିଡା ଆସି ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ପଂଚାୟତ ପ୍ରତିନିଧିମାନେ ଯାଇ ନଥିଲେ। ଉଚ୍ଚ ପ୍ରଶସାନିକ ଅଧିକାରୀ ନ ଆସିବା ପର୍ଯ୍ୟନ୍ତ କୌଣସି ଆଲୋଚନା କରାଯିବ ନାହିଁ ବୋଲି ପଂଚାୟତ ପ୍ରତିନିଧିମାନେ ସୂଚନା ଦେଇଛନ୍ତି।