ପଞ୍ଚାୟତିରାଜ ଦିବସ ସମାରୋହ
ବାଲେଶ୍ୱର(ସରୋଜ ପଣ୍ଡା): ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଆଜି ପୂର୍ବାହ୍ନରେ ସଦର ମହକୁମାସ୍ଥିତ ଆୟୁଷ୍ମାନ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ନିଜ ବକ୍ତବ୍ୟରେ ତୃଣମୂଳସ୍ତରର ଗଣତନ୍ତ୍ରର ଶକ୍ତି ଓ ସାମର୍ଥ୍ୟକୁ ପାଳନ କରିବା ପାଇଁ ହୋଇଥିବା ପଞ୍ଚାୟତିରାଜର ମହତ୍ତ୍ଵ ବାବଦରେ ମାନ୍ୟବର ମନ୍ତ୍ରୀ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସଶକ୍ତ ହେଲେ ଏକ ଉନ୍ନତ ଓ ବିକଶିତ ଓଡ଼ିଶାର ସ୍ବପ୍ନ ପୂରଣ ହୋଇପାରିବ । ୭୩ତମ ସମ୍ବିଧାନ ସଂଶୋଧନ କାର୍ଯ୍ୟକାରୀ ହେବା ପରେ ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ସହ ଗ୍ରାମୀଣ ସ୍ୱୟଂଶାସନକୁ ସଶକ୍ତ କରିଥିଲା। ତୃଣମୂଳ ସ୍ତରରେ କ୍ଷମତାର ବିକେନ୍ଦ୍ରୀକରଣ କରିବା ଏବଂ ଯୋଜନା ଓ ବିକାଶ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ । ଏହା ସହ ସରକାର ଗୋଟିଏ ଦିନରେ ଅନେକ ଯୋଜନାର ପ୍ରଣୟନ କରିବା ଯେମିତି ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀମାନଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ , ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ଆଜି ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ , ଡିଜିଟାଲ ଇଣ୍ଡିଆ, ଗ୍ରାମ ପଞ୍ଚାୟତକୁ ନିଜସ୍ୱ ଆୟ ବୃଦ୍ଧି, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ସହ ବିଗତ ଦିନରେ ପ୍ରତି ଗ୍ରାମପଞ୍ଚାୟତରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଲୋକକେନ୍ଦ୍ରିକ ହେବା ସହ ରାଜ୍ୟକୁ ସବୁ ଦିଗରୁ ବଳିଷ୍ଠ କରିଛି ବୋଲି ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ସମ୍ମାନନୀୟ ଅତିଥି ରୂପେ ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ସଦର ଶ୍ରୀ ମାନସ କୁମାର ଦତ୍ତଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଡ଼. ମଧୁସ୍ମିତା ସାମନ୍ତରାୟ ଓ ସଦର ବିଡ଼ିଓ ଶ୍ରୀ ଉତ୍ତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଗ୍ରାମ ପଞ୍ଚାୟତମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜମ୍ମୁ କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସକାଶେ ନୀରବ ପ୍ରାଥନା କରାଯାଇଥିଲା । ଉପସ୍ଥିତ ଲୋକେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଅଭାଷୀ ମାଧ୍ୟମରେ ଦେଖିଥିଲେ ।