ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡ଼ା,(ଚିିତ୍ତରଞ୍ଜନ ଦାଶ) : ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତର ଜଜ୍ ପ୍ରଜ୍ଞା ପରମିତା ରାଉଳ କୁଜଙ୍ଗ ଥାନା ଅଞ୍ଚଳର ଅଭିଯୁକ୍ତ ଜଗନ ସାମଲକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୫୭ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଆସାମୀ ଜଗନ ରାଜନଗର ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ତାଙ୍କ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ନାବାଳିକାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ୨୦୨୦ ମସିହା ନଭେମ୍ବରମାସ ୧୮ ତାରିଖରେ ନାବାଳିକାଙ୍କୁ ଅପହରଣ କରି କଟକ ନେଇ ଯାଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ତନ୍ତିଆପାଳ ଥାନାରେ ଅଭିଯୋଗ କରାଯାଇଥିଲା। ତନ୍ତିଆପାଳ ଥାନା ପୋଲିସ ଘଟଣାର ଅନୁସନ୍ଧାନ କରିବା ପରେ ଏକ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହିସମୟ ମଧ୍ୟରେ ଅଭିଯୁକ୍ତ ନାବାଳିକାଙ୍କୁ କଟକରୁ ବିଶାଖାପାଟଣା ଓ ପରେ ବାଙ୍ଗଲୋର ନେଇଯାଇଥିଲା। ପାଖାପାଖି ୪ ମାସ କାଳ ଅପହରଣ କରି ରଖି ତାଙ୍କୁ ବଳାତ୍କାର କରିବା ପରେ ନାବାଳିକାଙ୍କୁ ବାଙ୍ଗାଲୋରରୁ ଆଣି କଟକ ମଧୁପାଟଣା ଥାନା ଅଞ୍ଚଳରେ ରଖିଥିଲେ। ଖବର ପାଇ ପୋଲିସ ଅଭିଯୁକ୍ତ ଜଗନକୁ ମଧୁପାଟଣା ଥାନା ଅଞ୍ଚଳରୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା। ପୋଲିସ ଉଭୟ ଅଭିଯୁକ୍ତ ଓ ନାବାଳିକାଙ୍କ ଡାକ୍ତରୀମାଇନା କରିଥିଲା। ମାମଲାର ତଦନ୍ତ କରି ପୋଲିସ ୨୦୨୧ ମସିହା ମେ ମାସ ୧୨ ତାରିଖରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ସେହି ମାମଲାର ଶୁଣାଣି କରି କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଜଜ୍ ପ୍ରଜ୍ଞା ପରମିତା ରାଉଳ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ