ପ୍ଳାଷ୍ଟିକ ବୋତଲରେ ପେଟ୍ରୋଲ୍‍ କଟକଣା: ଆସିକାରେ ତେଲଟାଙ୍କିକୁ ଆସିଲା ପାଣିପମ୍ପ

ଆସିକା  (ୱାଇଏନ୍‍ଏସ୍‍) :ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ଓ ତାର କିଛି ଦିନ ପରେ ବଳଙ୍ଗା ନାବାଳିକା ପୋଡି ଘଟଣା ପରେ ପେଟ୍ରୋଲ୍‍ ଟ୍ୟାଙ୍କରେ ପ୍ଳାଷ୍ଟିକ ବୋତଲରେ ପେଟ୍ରୋଲ୍‍ ବିକ୍ରୀ ଉପରେ କଟକଣା ଜାରି କରାଯାଇଥିବା ଜଣାପଡିଛି । ପ୍ଳାଷ୍ଟିକ୍‍ ବୋତଲରେ ପେଟ୍ରୋଲ ବିକ୍ରୀ ଉପରେ ରୋକ୍‍ ଲାଗିବା ପରେ ବହୁ ବ୍ୟକ୍ତି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଜଣେ ବ୍ୟକ୍ତିଙ୍କର କୌଣସି କାରଣରୁ ବାଇକ୍‍ରେ ବାଇକରେ ପେଟ୍ରୋଲ୍‍ ସରିଗଲେ ସେ ପ୍ଳାଷ୍ଟିକ୍‍ ବୋତଲରେ ଟ୍ୟାଙ୍କରୁ ପେଟ୍ରୋଲ୍‍ କିଣିନେଇ ବାଇକ୍‍ରେ ପକାଇବାରେ ସୁବିଧା ହେଉଥିଲା । ତେବେ ପ୍ଳାଷ୍ଟିକ ବୋତଲେ ପେଟ୍ରୋଲ୍‍ ବିକ୍ରୀ ଉପରେ କଟକଣା ଜାରି ହେବା ପରେ କେତେକ ବ୍ୟକ୍ତି ନିଜର ପାଣିଉଠା ପମ୍ପ ମେସିନ ସମେତ ଅନ୍ୟାନ୍ୟ କେତେକ ପେଟ୍ରୋଲ୍‍ ଓ ଡିଜେଲ୍‍ ଚାଳିତ ଯନ୍ତ୍ରକୁ ବିଭିନ୍ନ ଯାନରେ ବୋହିଆଣି ପେଟ୍ରୋଲ୍‍ ପମ୍ପରେ ତୈଳ ପକାଉଥିବା ଦେଖିବାକୁ ମିଳୁଛି । ପ୍ଳାଷ୍ଟିକ ବୋତଲରେ ପେଟ୍ରୋଲ କଟକଣା ପରେ କେତେକ ଚାଷୀ ହତାଶ ହୋଇପଡିଥିବା ଦେଖିବାକୁ ମିଳୁଛି । ଦୁର୍ଘଟଣା ଘଟିବା ପରେ ଚେତା ପଶୁଛି । କିଛି ଦିନ ହଇଚଇ ସୃଷ୍ଟି ହେଉଛି । ଏପରି ଘଟଣା ପୁନର୍ବାର ଯେପରି ନଘଟିବ ସେଥିପ୍ରତି ବିଭିନ୍ନ ନୀତିନିୟମ କାର୍ଯ୍ୟକାରୀ କରାଯାଉଛି । ତେବେ ନୀତିନିୟମ କିଛି ଦିନ ଜାରି ରହିବା ପରେ ତାହା ପୁଣି ବାଟବଣା ହୋଇପଡୁଥିବା ଦେଖିବାକୁ ମିଳୁଛି । ନିୟମ ପାଳନ ହେଉଛି କି ନାହିଁ ତାହା ଦେଖିବାକୁ ପ୍ରଶାସନ ପାଖରେ ସମୟର ଅଭାବ ଲାଗିରହୁଛି । ଏହା ଏବେ ସଚେତନ ନାଗରିକ ମହଲରେ ଚର୍ଚ୍ଚା ବିଷୟ ପାଲଟିଛି । ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପରେ ପ୍ଳାଷ୍ଟିକ ବୋତଲରେ ଗ୍ରାହକଙ୍କୁ ପେଟ୍ରୋଲ୍‍ ବିକ୍ରୀ ଉପରେ କଟକଣା ଜାରି କରିଛନ୍ତି । ଯାହାରି ଫଳରେ ବିଭିନ୍ନ ସମୟରେ ବହୁ ବାଇକ୍‍ ଚାଳକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପେଟ୍ରୋଲ୍‍ ପମ୍ପ କର୍ମଚାରୀ ଓ ପ୍ଳାଷ୍ଟିକ୍‍ ବୋତଲ ନେଇ ଆସୁଥିବା ଗ୍ରାହକଙ୍କ ମଧ୍ୟରେ କଥା କଟାକଟି ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ବିଗତ କିଛି ବର୍ଷ ତଳେ ସରକାରଙ୍କ ପକ୍ଷରୁ ହେଲ୍‍ମେଟ୍‍ ପିନ୍ଧିନଥିଲେ ପେଟ୍ରୋଲ୍‍ ଟ୍ୟାଙ୍କରେ ତେଲ ଦିଆଯିବ ନାହିଁ ବୋଲି ଘୋଷଣା କରାଯିବା ସାଙ୍ଗକୁ ନୋ ହେଲ୍‍ମେଟ୍‍ ନୋ ପେଟ୍ରୋଲ୍‍ ସଂକ୍ରାନ୍ତରେ ସଚେତନ ମଧ୍ୟ କରାଯାଇଥିଲା । ତେବେ ବିଗତ କିଛି ମାସ ହେଲା ଏହି ନିୟମ ମଧ୍ୟ ଯେପରି ବାଟବଣା ହୋଇଯାଇଛି ଠିକ୍‍ ସେପରି ପ୍ଳାଷ୍ଟିକ୍‍ ବୋତଲରେ ପେଟ୍ରୋଲ ବିକ୍ରୀ ନିଷେଧ ନିୟମ ବାଟବଣା ହୋଇଯିବନି ତ ବୋଲି ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ