ଦେବୀଦୋଳସ୍ଥିତ ମା’କୁତାମଚଣ୍ଡୀଙ୍କ ଝାମୁଯାତ୍ରା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତର ଦେବୀଦୋଳସ୍ଥିତ ପ୍ରାଚୀନ ଶକ୍ତି ପୀଠ ମା’କୁତାମଚଣ୍ଡୀ ପୀଠରେ ପ୍ରସିଦ୍ଧ ଝାମୁ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ଙ୍କ ମନ୍ଦିରକୁ ରଙ୍ଗବେରଙ୍ଗର ପୁଷ୍ପ ଓ ଆଲୋକମାଳରେ ସୁସଜ୍ଜିତ କରାଯାଇଛି। ପ୍ରାତଃ ସମୟରୁ ମା’ଙ୍କର ଯଥାରୀତି ପୂର୍ବକ ପୂଜାର୍ଚ୍ଚାନା କରାଯାଇଥିଲା। ଏହି ପୀଠରେ ପୁରାତନ କାଳରୁ କାଳସୀ ପ୍ରଥା ରହିଆସିଅଛି। ମା’ଙ୍କ କାଳସୀ ଭାବେ ରବିନ୍ଦ୍ର ରାଉଳ ନିତି ନିୟମନୁସାରେ ମା’ଙ୍କ ଆଶୀର୍ବାଦ ଭିକ୍ଷା କରି ଖାଲି ପାଦରେ ନିଆଁ ଉପରେ ଚାଲିବା ଦୃଶ୍ୟ ସମସ୍ତ ଶ୍ରଦ୍ଧାଳୁଙ୍କୁ ଚକିତ କରିଥାଏ। ଏହି ଦୃଶ୍ୟ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ମନ୍ଦିର ପରିସରରେ ନିଜର ମନସ୍କାମନା ପୁରଣ ପାଇଁ ମହିଳାମାନେ ଅଧିଆ ପଡିଥାନ୍ତି। ମା’ଙ୍କ ନିର୍ଦ୍ଦେଶରେ କାଳିସୀ ସେମାନଙ୍କର ସମସ୍ୟାର ସମାଧାନ କରିଥାନ୍ତି। ରାତିରେ ମା’ଙ୍କ ନିକଟରେ ପଣା ଭୋଗ କରାଯାଇଥାଏ। ଏହି ଭୋଗ ପାଇବା ପାଇଁ ଶ୍ରର୍ଦ୍ଧାଳୁମାନେ ରାତ୍ର ଉଜାଗର ରହି ଅପେକ୍ଷା କରିଥାନ୍ତି। ଘଂଟ ଘଂଟା ଶଦ୍ଦରେ ମା’ଙ୍କ ମନ୍ଦିର ପରିସର ପ୍ରକମ୍ପିତ ହୋଇଥାଏ। ଝାମୁଯାତ୍ରାକୁ ଦୃଷ୍ଟିରେ ରଖି ବନିଭିନ୍ନ ସ୍ଥାନରୁ ଉଠା ଦୋକାନୀମାନେ ବିଭିନ୍ନ ପ୍ରକାର ଦୋକାନ ପକାଇଥାନ୍ତି। ବିଭିନ୍ନ ଚଟପଟା ଖାଦ୍ୟ, ଘର କରଣା ସାମଗ୍ରୀ ଦୋକାନ ନିକଟରେ ଜନଗହଳି ଦେଖାଯାଇଥାଏ। ଉକ୍ତ କାର୍ଯ୍ୟକ୍ରମରେ ପୂଜକ ଭାବେ ବସନ୍ତ କୁମାର ପ।।ଢୀ, ସୁଶୀଲ କୁମାର ପାଢୀ, ଉପେନ୍ଦ୍ର ପାଢୀ, ଚିତ ରଂଜନ ପାଢୀଙ୍କ ସମେତ ଗ୍ରାମବାସୀ ଉକ୍ତ ଯାତ୍ରା ସହଯୋଗ କରିଥିଲେ।


