ପୋଡ଼ମପେଟା ବେଳାଭୂମି ଅବକ୍ଷୟ ସମସ୍ୟା: ଜିଲ୍ଲାପାଳଙ୍କୁ ଜଣାଇଲେ ଅଞ୍ଚଳବାସୀ
ଛତ୍ରପୁର, (ଓ୍ବାଇଏନଏସ): ଦିନକୁ ଦିନ ସମୁଦ୍ରର ଉଚ୍ଚ ଲହଡ଼ି ଯୋଗୁଁ ଗଞ୍ଜାମ ଜିଲ୍ଲାର ଉପକୂଳ ଅଞ୍ଚଳରେ ବେଳାଭୂମି ଅବକ୍ଷୟ ଚିନ୍ତାର କାରଣ ପାଲଟିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବେଳାଭୂମି ଗତ କିଛି ମାସ ହେବ ଦ୍ରୁତଗତିରେ କ୍ଷୟ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି କଣ୍ଟିଆଗଡ଼ ନିକଟ ପୋଡ଼ମପେଟା ଗ୍ରାମରେ ସମୁଦ୍ର ଧୀରେ ଧୀରେ ଜନବସତି ଆଡ଼କୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଉଚ୍ଚ ଲହଡ଼ି ଯୋଗୁଁ କୂଳ ଖାଇବା ସହ ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭକୁ ଚାଲିଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ପୂର୍ବରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗତ ଜୁଲାଇ ୩ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଅଞ୍ଚଳବାସୀ ଆନ୍ଦୋଳନରୁ ଓହରିଥିଲେ। ତେବେ ଦୀର୍ଘ ସମୟ ବିତିଥିଲେ ମଧ୍ୟ ସମୁଦ୍ର ଅବକ୍ଷୟ ରୋକିବା ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏନେଇ ସୋମବାର ଗଞ୍ଜାମ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଅଞ୍ଚଳବାସୀ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଭେଟି ଲିଖିତ ଭାବେ ସମସ୍ୟା ଜଣାଇଥିଲେ। ଜିଲ୍ଲାପାଳ ଜଳସେଚନ ବିଭାଗର ଅଧିକାରୀଙ୍କୁ ଏହି ଅଞ୍ଚଳରେ ସମୁଦ୍ର ଅବକ୍ଷୟ ରୋକିବା ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ଅବସର ରେ ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟ, ଜିଲ୍ଲା ପରିଷଦ ସଦସ୍ୟ ସନାତନ ବେହେରା, ପୂର୍ବତନ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ରଞ୍ଜିତ ପଲାଇ, ପବିତ୍ର ସ୍ୱାଇଁ, ବୃନ୍ଦାବନ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ସୁଜିତ ବେହେରା, ସତୀଶ ସ୍ୱାଇଁ, ବିଷ୍ଣୁ ଛଟେଇ, ଶ୍ରୀଧର ସ୍ୱାଇଁ, ବୃନ୍ଦାବନ ନାହାକ, ତ୍ରିନାଥ ସାହୁ ଓ ଶବର ତରାଇଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ତୁରନ୍ତ ଡିପିଆର୍ ପ୍ରସ୍ତୁତ କରି ସମୁଦ୍ର ଅବକ୍ଷୟ ରୋକିବା ସହ ଜନବସତି ଓ ଲୋକଙ୍କ ଜୀବନ-ଜୀବିକାର ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନିଆଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


