ବାଇକ୍ ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା ପୁଲିସ  ବାଇକ୍ ଚୋରି ମାମଲାରେ ମଙ୍ଗଳବାର  ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନିକଟରୁ ୨ ଟି ଚୋରା ବାଇକ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ସାହାଣୀ ସାହିର ଭିକାରୀ ଦାସଙ୍କ ପୁଅ କେଦାର ଦାସ (୨୨) । ଗତ ଦୁଇଦିନ ପୂର୍ବେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ପାଟପୁର ଥାନା ନରସିଂହଗଡ ଗ୍ରାମର କୁନା ପ୍ରଧାନ ତାଙ୍କ ବାଇକ କୁ ରାସ୍ତାକଡ଼ରେ ରଖି ପାଣି ପିଇବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ବାଇକ କୁ ଚୋରି କରି ନେଇଥିଲେ। ଏନେଇ ସେ ଦିଗପହଣ୍ଡି ଥାନାରେ ବାଇକ୍ ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ମକଦ୍ଦମା ରୁଜୁ ତଦନ୍ତ ଚଳାଇବା ସହ ଦୋକାନ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଫେରିଥିଲେ । ତେବେ ଅଭିଯୁକ୍ତ କେଦାର ସୋମବାର  ଚୋରି ବାଇକକୁ ଧରି ଡେଙ୍ଗାଓସ୍ତା ଗ୍ରାମରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ଧରିବା ସହ ବାଇକ୍ ଜବତ କରିଥିଲା । ପରେ ପୁଲିସ ଟିମ୍ ତାଙ୍କ ଘରେ ଚଢାଉ କରି ଅନ୍ୟ ଏକ ବାଇକ ଜବତ କରିଛନ୍ତି। ମଙ୍ଗଳବାର  ଥାନା କେସ୍ ନଂ.୨୫୫/୨୫ ଅନୁସାରେ  ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ