ମୁମ୍ବାଇରୁ ଫେରାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅନ୍ତର୍ଗତ ତେଣ୍ଟୁଆପଡା ଗ୍ରାମରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାରେ କେ. ନୂଆଗାଁ ଥାନା ପୋଲିସ ଅନ୍ୟତମ ମୂଖ୍ୟ ଅଭିଯୁକ୍ତ ଲକ୍ଷ୍ମୀ କାନ୍ତ ପ୍ରଧାନଙ୍କୁ ମହାରାଷ୍ଟ୍ରର ମୁମ୍ବାଇରୁ ଗିରଫ କରିବାରେ ସଫଳ ହୋଇଛି।ଗତ ୨୩/୧୦/୨୩ ରେ ଘଟଣା ପରଠାରୁ ଫେରାର ରହିଥିବା କାଳୁ ଓରଫ ଲକ୍ଷ୍ମୀ କାନ୍ତ ପ୍ରଧାନଙ୍କ ଘର ବମକୋଇ ପଞ୍ଚାୟତର କୁମରଡା ଗ୍ରାମରେ ହୋଇଥିବା ବେଳେ ପୋଲିସ ଗିରଫ ଭୟରେ ସେ ମୁମ୍ବାଇର ଏନ୍.ଏମ୍.ଯୋଷୀ ମାର୍ଗ ଅଞ୍ଚଳରେ ରହି ଆସୁଥିଲେ। ଗଞ୍ଜେଇ କାରବାର ରେ ସେ ଗିରଫ ହୋଇ ସେଠାକାର ଜେଲ ରେ ଗତ ୨ ବର୍ଷ ହେଲା ବିଚାରାଧୀନ ବନ୍ଦୀ ଭାବେ ରହୁଥିଲେ।ଗତ ଅକ୍ଟୋବର ୩ ତାରିଖରେ ସେ ଜେଲ ରୁ ମୁକୁଳୁ ଥିବା ଖବର ପାଇ କେ. ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ଫାଣ୍ଡି ଅଧିକାରୀ ଏସଆଇ ଗୈ|ତମ ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ମୁମ୍ବାଇରେ ପହଞ୍ଚି ସେଠାକାର ପୋଲିସ ସହାୟତାରେ ଲକ୍ଷ୍ମୀ କାନ୍ତ ପ୍ରଧାନଙ୍କୁ ଗିରଫ କରିଥିଲା। ମୁମ୍ବାଇ ଦାଦର ସ୍ଥିତ କୋର୍ଟ ର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କୁ ହାଜର କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେ. ନୂଆଗାଁ ଥାନାକୁ ଅଣାଯାଇ ଥାନା କେଶ୍ ନମ୍ବର ୪୩୬/୨୩ ପ୍ରକାରେ ଗୁରୁବାର ଦିଗପହଣ୍ଡି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଲକ୍ଷ୍ମୀକାନ୍ତଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହୋଇ ଯିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ସୂଚନା ପ୍ରକାରେ ଘଟଣା ଦିନ ରାତିରେ ତେଣ୍ଟୁଆପଡା ଗ୍ରାମର ପୀତାମ୍ବର ନାଇକ ଓ ପରିବାରର ଅନ୍ୟ ସଦସ୍ୟମାନେ ରାତ୍ରି ଭୋଜନ କରୁଥିବା ବେଳେ ଲକ୍ଷ୍ମୀକାନ୍ତ ଓ ତାଙ୍କ ସହଯୋଗୀ ମାନେ ମିଶି ପିସ୍ତଲ, ଖଣ୍ଡା ଆଦି ମାରଣାସ୍ତ୍ର ଧରି ଘରେ ପଶିବା ସହ ପୀତାମ୍ବରଙ୍କୁ ଘରୁ ଘୋଷାରି ଆଣି ମରଣାନ୍ତକ ଆକ୍ରମଣ କରି ନଗଦ ୧୦,୦୦୦ ଟଙ୍କା ଲୁଟି ନେବା ସହ ଉକ୍ତ ଦିନ ବିଳମ୍ବିତ ରାତିରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିନ ଚାନ୍ଦପୁର ଗାଁ ନାନା ପଣ୍ଡା ଙ୍କୁ ଅପହରଣ କରି ତାଙ୍କ ଠାରୁ ୨୩ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଥାନା କେସ ନଂ.୪୩୭/୨୩ ଅନୁଯାୟୀ ତାଙ୍କ ନାଁ ରେ ଅଭିଯୋଗ ରହିଥିବା ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ଏସ.ଆଇ ଜୟନାଥ ପ୍ରଧାନ କହିଛନ୍ତି। ଅପରପକ୍ଷରେ ଲକ୍ଷ୍ମୀକାନ୍ତ ଙ୍କ ନାଁ ରେ କେ.ନୂଆଗାଁ ଥାନା ରେ ପୂର୍ବରୁ ଏକାଧିକ ସଙ୍ଗୀନ ମାମଲା ରହିଥିବା ଆଇଆଇସି କହିଛନ୍ତି।


