ପୁଲିସ କବଜାରେ ଚୋର ଗ୍ୟାଙ୍ଗ :୪ ଲୁଟେରା ସମେତ ସୁନା ଦୋକାନୀ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଗତ କିଛିଦିନ ଧରି ଦିଗପହଣ୍ଡି ଥାନା ଓ କେ . ନୂଆଗାଁ ଥାନା ଇଲାକାରେ  ଚୋରି ଘଟଣା ବୃଦ୍ଧି ପାଉଥିବା ନେଇ ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଏପରିକି ପୁଲିସ ମଧ୍ୟ ଚୋର ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ଆସୁଥିଲା । ପରିଶେଷରେ ଗୁରୁବାର  ଦିଗପହଣ୍ଡି ପୁଲିସ ଏକ  ଚୋର  ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇପାରିଛି । ପୁଲିସ ଚୋରି ଘଟଣାରେ ୪ ଜଣ ପେଶାଦାର ଚୋର ଙ୍କ ସମେତ ଜଣେ ସୁନା ଦୋକାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ ସେମାନଙ୍କ ନିକଟରୁ ୨୫୦ ଗ୍ରାମ ଓଜନର ସୁନା ଅଳଙ୍କାର , ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା , ଘର ଗ୍ରିଲ ଭାଙ୍ଗିବା ନିମନ୍ତେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଗିରଫ ମାନଙ୍କ ମଧ୍ୟରେ  କେ . ନୂଆଗାଁ ଥାନା ବମକୋଇ ଗ୍ରାମରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜୁରୀ ଗ୍ରାମର ଜେ. ମୋହନ , କବିସୂର୍ଯ୍ୟ ନଗର ଥାନା ପଥରାପଲ୍ଲୀ ଗ୍ରାମର ବୁଲୁ ପାତ୍ର ଏବଂ କ୍ରିଷ୍ଣା ପାତ୍ର , ବମକୋଇ ଗ୍ରାମର ଜେ . ପ୍ରକାଶ ଓ ଶେରଗଡ଼ ଥାନା ପରମାନନ୍ଦପୁର ଗ୍ରାମର ସୁନା ଦୋକାନୀ ମନୋଜ ପାଢ଼ୀ । ଖବରନୁଯାୟୀ , ଗତ ଅଗଷ୍ଟ ୧ ତାରିଖରେ ଦିଗପହଣ୍ଡି ବ୍ଳକ ବଡଡୁମୁଳା ପଞ୍ଚାୟତ ସୁମନ୍ତପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ନେଇ ଥାନାରେ  ଅଭିଯୋଗ ହୋଇଥିଲା । ପୁଲିସ ପ୍ରହଲ୍ଲାଦଙ୍କ ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା । ଏପରିକି ପୁଲିସ ଚୋରଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢାଉ କରି ଆସୁଥିଲା । ଏପରିକି ପୁଲିସ ଚୋରି ହୋଇଥିବା ପ୍ରହଲ୍ଲାଦଙ୍କ ମୋବାଇଲକୁ ଟ୍ରାକିଂ କରି ବୁଧବାର ରାତିରେ କେ.ନୂଆଗାଁ ଥାନା ଦେଖାଳି ଗ୍ରାମରୁ ଅଭିଯୁକ୍ତ ମାନଙ୍କୁ କାବୁ କରିଥିଲା । ଏହାପରେ ସେମାନଙ୍କୁ ଥାନାରେ ରଖି ଜେରା କରିବା ପରେ ସେମାନେ ଗତ କିଛିଦିନ ଧରି ଦିଗପହଣ୍ଡି ଥାନା ସୁମନ୍ତପୁର , ବାଗଡା , ଗୋଲଣ୍ଡା ଗ୍ରାମ ସମେତ କେ . ନୂଆଗାଁ ଥାନା ଅର୍ନ୍ତଗତ ପରସମା , ଡଭାର , ଚନ୍ଦନପୁର , କୃଷ୍ଣପୁର ଏବଂ ବଡପଲଙ୍କ ଗ୍ରାମରୁ ସୁନା ଚୋରି କରିବା ସହ ଆସିକାରେ ସୁନା ଦୋକାନ କରିଥିବା ମନୋଜଙ୍କୁ ସବୁ ସୁନା ବିକ୍ରି କରି ଦେଇଥିବା କହିଥିଲେ । ଏହାପରେ ପୁଲିସ ଗହଣା ବ୍ୟବସାୟୀ ମନୋଜ ଙ୍କୁ ମଧ୍ୟ ଗିରଫ କରି ଜେରା କରିବା ପରେ ସେ ପୁଲିସ ନିକଟରେ ଚୋରି ସୁନାକୁ କିଣିଥିବା ସ୍ବୀକାର କରିଥିଲେ । ପୁଲିସ ସମସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ଥାନା ମାମଲା ନଂ. ୨୭୩/୨୫ ଅନୁଯାୟୀ  କୋର୍ଟ ଚାଲାଣ କରିଥିଲା । ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ନାମରେ ଦିଗପହଣ୍ଡି ଓ କେ . ନୂଆଗାଁ ଥାନାରେ ୧୦ ରୁ ଉର୍ଦ୍ଧ୍ବ ଚୋରି ମାମଲା ରହିଥିବା ପୁଲିସ କହିଛି । ତେବେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ