ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ଯ କୁ ନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀ ରୁ ପଙ୍କ ଉଦ୍ଧାର ନହେବା ପୂର୍ବରୁ ଅନିୟମିତତା ଅଭିଯୋଗ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି। ଦିଗପହଣ୍ଡି ସହରର ସାମାଜିକ କର୍ମୀ ବିକାଶ ପଶୁପାଳକ ଙ୍କ ନେତୃତ୍ୱରେ କିଛି ଯୁବକ ଶୁକ୍ରବାର ଏନଏସି କାର୍ଯ୍ୟାଳୟ ରେ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିବାସହ ପୋଖରୀ ରୁ ସମ୍ପୂର୍ଣ୍ଣ ପଙ୍କ ଓ ମାଟି ଉତ୍ତୋଳନ ପରେ ହିଁ ଉନ୍ନୟନ କାମ କରିବାକୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ବର୍ଷର ବାଦବିବାଦ ପରେ ବହୁ ପ୍ରତିକ୍ଷୀତ ବଡ଼ ବନ୍ଧ ପୋଖରୀ ର ପୁନରୁଦ୍ଧାର ପାଇଁ ଡ୍ରଇଂ ଡିଜାଇନ ଏବଂ ଆବଶ୍ୟକ ଖର୍ଚ୍ଚ ଅଟକଳ କୁ ପ୍ରଶାସନିକ ଅନୁମୋଦନ ମିଳିଥିଲା।ମୁଖ୍ୟମନ୍ତ୍ରୀଙ୍କ ସହରୀ ବିକାଶ ଯୋଜନା ଏବଂ ଜଳାଶୟ ଉନ୍ନତିକରଣ ଯୋଜନାରେ ଏନଏସି ଅଧିନ ରେ ଥିବା ରାଜା ରାଜୁଡ଼ା ସମୟ ର ଏତିହ୍ୟ ସମ୍ପନ୍ନ ବଡ଼ବନ୍ଧ ପୋଖରୀର ପୁନଃରୁଦ୍ଧାର ଓ ବିକାଶ କରାଯିବ। ଏହି ପ୍ରକଳ୍ପ ରେ ପୋଖରୀ ହିଡ ରେ ମିନିପାର୍କ,ପୋଖରୀ ର ଚତୁର୍ଦ୍ଦିଗ କୁ ସୋନ୍ଦର୍ଯ୍ୟକରଣ ସହ ଅତ୍ୟାଧୁନିକ ଆଲୋକୀ କରଣ ପାଇଁ ବ୍ୟବସ୍ଥା ରହିଛି।ପ୍ରଥମ ପର୍ଯ୍ୟାୟ ରେ ପ୍ରାୟ ୩ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ହେବାପରେ ଗତ ମେ ୧୫ ତାରିଖରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଥିଲେ । କିନ୍ତୁ ସେହି ଉନ୍ନୟନ କାର୍ଯ୍ୟ ଅତି ତରବରିଆ ଭାବେ କରାଯାଇ ସେଥିରେ ବହୁ ଅନିୟମିତତା କରାଯାଉଥିବା ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଗତ ୧୫ ଦିନ ହେଲା ବଡବନ୍ଧ ପୋଖରୀରୁ ପଙ୍କ ବାହାର କରିବା କାର୍ଯ୍ୟ ଜାରି ରହିଥିବା ବେଳେ ଏହାର କୌଣସି ବିଲ୍ ମଧ୍ୟ ମଞ୍ଜୁର କରାଯାଇନାହିଁ। ତେଣୁ କାମରେ କୌଣସି ଅନିୟମିତତାର ପ୍ରଶ୍ନ ଉଠୁନାହିଁ। ଦିଗପହଣ୍ଡି ସହରବାସୀଙ୍କ ସ୍ବପ୍ନକୁ ସାକାର କରିବା ସହ ସହରର ବିକାଶମୂଳକ କାର୍ଯ୍ୟକୁ ବିରୋଧ ନ କରି କାମ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସହଯୋଗ କରିବାକୁ ସେ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଙ୍କୁ ପଚାରିବାରୁ ସହରବାସୀଙ୍କ ଦୀର୍ଘ ଦିନର ଦାବିକୁ ସମ୍ମାନ ଜଣାଇ ପୋଖରୀର ପୁନରୁଦ୍ଧାର କାର୍ଯ୍ଯ ଆରମ୍ଭ ହୋଇ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲୁଅଛି । କିଛିଦିନ ଭିତରେ ପୋଖରୀରୁ ସମ୍ପୂର୍ଣ୍ଣ ଭାବେ ପଙ୍କ ବାହାର କରାଯିବ । ଏପରିକି ପ୍ରକଳ୍ପ ର ଡିପିଆର ଅନୁସାରେ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ । ତେଣୁ ସହରବାସୀ ଏଥିରେ କୈାଣସି ରାଜନୈତିକ ମତଭେଦ ନରଖି ବିକାଶ କାର୍ଯ୍ୟକୁ କ୍ରିୟାଶୀଳ କରିବା ପାଇଁ ଏନଏସି ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।


