ଈଶାଣୀ ବୈଶାଖୀ ମହୋତ୍ସବ କମିଟିର ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର,(ସରୋଜ ପଣ୍ଡା): ଭାରତପରି ଗୋଟିଏ ଦେଶର ପ୍ରଗତି ପଛରେ ଥାଏ କେତୋଟି ଗ୍ରାମାଞ୍ଚଳର ଏକତାପୂର୍ଣ୍ଣ ସଂହତି। ଅନୁନ୍ନତ ଅଂଚଳର ଏକତା ଓ ସଂହତି ହିଁ ବିକଶିତ କରାଇଥାଏ ଗୋଟିଏ ଜିଲ୍ଲା ଓ ପ୍ରଦେଶକୁ। ଯାହା ଦୀର୍ଘ ୭୬ବର୍ଷ ସ୍ୱାଧୀନତା ପରେ ବି ଆମ ଦେଶର ଅର୍ଦ୍ଧବିକଶିତ ଗ୍ରାମାଞ୍ଚଳ ପଛରେ ପଡ଼ିଛି ବୋଲି ସ୍ୱୀକାର କରୁଛୁ। ସ୍ଥାନୀୟ ବାଲେଶ୍ୱର ଜିଲ୍ଲା ସହର ଉପକଣ୍ଠରୁ ମାତ୍ର ଦୁଇ କିଲୋମିଟର ଦୂର ଐତିହାସିକ ସିନ୍ଦୂରୀ ଚାଉଳିଆ ବର ଓ ଈଶାଣୀ ମିନି ଷ୍ଟାଡିୟମ୍ର ପଡ଼ିଆରେ ହୋଇଆସୁଥିବା ଈଶାଣୀ ବୈଶାଖୀ ମହୋତ୍ସବ, ବିଶାଳ ଉଡ଼ାଯାତ୍ରା ଓ ୨୯ତମ ମା’ ବାସନ୍ତୀ ପୂଜା ପଛରେ ସହଯୋଗର ହାତ ବଢ଼ାଇ ଆସିଛନ୍ତି ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳର ୪୦ରୁ ଊର୍ଦ୍ଧ୍ୱ ଗାଁର ଗ୍ରାମବାସୀମାନେ। ଅନେକ ଘାତପ୍ରତିଘାତ, ପ୍ରତିକୂଳ ପ୍ରତିବନ୍ଧକ ସତ୍ତ୍ୱେ ହଜାର ହଜାର ଲୋକଙ୍କର ସମାଗମ ଏହି କାର୍ଯ୍ୟକ୍ରମର ସଫଳତା ଆଣିଦେଇଛି। ଗତ ମାର୍ଚ୍ଚ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ମା’ ବାସନ୍ତୀ ପୂଜା ମହା ଆଡ଼ମ୍ବରରେ ପାଳନ କରାଯାଇଥିବାବେଳେ ଆଗାମୀ ଏପ୍ରିଲ୍ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ବୈଶାଖୀ ମହୋତ୍ସବ ଏବଂ ବିଶାଳ ଉଡ଼ାଯାତ୍ରାର ଆୟୋଜନ କରାଯାଇଅଛି। ଏହି ଅବକାଶରେ ପ୍ରତିଷ୍ଠିତ ଲବଣ ସତ୍ୟାଗ୍ରହ ସ୍ମାରକୀ ମିନି ଷ୍ଟାଡିୟମ୍ ପଡ଼ିଆରେ ସବୁବର୍ଷ ପରି ବିଧିବଦ୍ଧ ଭାବରେ ଅନୁଷ୍ଠିତ ହେବାକୁ ଥିବା ଏକାଦଶତମ ବୈଶାଖୀ ମହୋତ୍ସବରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକଙ୍କ ଦ୍ୱାରା ଉଦ୍ଘାଟନ ହେବାକୁ ଥିବାବେଳେ ବୈଶାଖୀ ମହୋତ୍ସବର ଉଦ୍ଯାପନୀ ଓ ଉଡ଼ାଯାତ୍ରା ଉତ୍ସବରେ ପ୍ରାକ୍ତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ ସେନାପତି, ସମ୍ପାଦକ ଭାଗବତ ସାହୁ, କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବଙ୍କ ସମେତ ସାରିକା କର, ସନାତନ ବେହେରା, ଦୀନବନ୍ଧୁ ବେହେରା, ଦୀନବନ୍ଧୁ ଦାସ, ମହେନ୍ଦ୍ର ମହାଳିକ, ଅଜୟ ବେହେରା, ନରେନ୍ଦ୍ର ଦାସ, ପ୍ରଫୁଲ୍ଲ ନାୟକ, ଶ୍ରୀକାନ୍ତ ଦାସ, ଗଙ୍ଗାଧର ଦାସ, କାହ୍ନୁଚରଣ ସେଠୀ, ରମେଶ ଚନ୍ଦ୍ର ବେହେରା, ଜିତେନ୍ଦ୍ର ସ୍ୱାଇଁ, ଡମ୍ବରୁଧର ଦାସ ଓ ସୂର୍ଯ୍ୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଉତ୍ସବକୁ ସ୍ଥାନୀୟ ଜନସାଧାରଣ ଓ ବାଲେଶ୍ୱର ସହରବାସୀ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରି ସଫଳ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି।


