ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱଗଣନା ସମ୍ପର୍କରେ ପତ୍ରକାର ସମ୍ମିଳନୀ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱଗଣନା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ମୁଖ୍ୟ ଜନଗଣନା ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବିନ୍ଦ୍ର କୁମାର ମଲ୍ଲିକ, ଡେପୁଟି କଲେକ୍ଟର ତଥା ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ସରୋଜ କୁମାର ବେହେରା, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ (ଏନ୍.ଆଇ.ସି)ତଥା ଅତିରିକ୍ତ ଜିଲ୍ଲା ଜନଗଣନା ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ, ଦୁଇଜଣ ମାଷ୍ଟର ଟ୍ରେନର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ତଥା ମୁଖ୍ୟ ଜନଗଣନା ଅଧିକାରୀ ଭାରତର ସବୁଠୁ ବଡ ଜନଗଣନା କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ନାଗରିକଙ୍କୁ ସକ୍ରିୟ ଭାଗନେବାକୁ ଅନୁରୋଧ କରିଥିଲେ । ଏଥିସହ ସେ କହିଥିଲେ ଯେ ଜନଗଣନା ୨୦୨୭ ଡିଜିଟାଲ ଭାବେ ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ହେଉଛି ଗୃହ ତାଲିକା କରଣ କାର୍ଯ୍ୟ ଓ ଦ୍ୱିତୀୟ ପ୍ରର୍ଯ୍ୟାୟ ହେଉଛି ଜନସଂଖ୍ୟା ଗଣନା । ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଗଣନା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ନାଗରିକ ମାନେ ଏହି ସମୟ ସୀମା ମଧ୍ୟରେ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦର.ମରଦ୍ଭଗ୍ଦଙ୍କଗ୍ଦ.ଶକ୍ଟଙ୍ଖ.ସଦ୍ଭ) ପୋଟାର୍ଲକୁ ଯାଇ ମୋବାଇଲ କିମ୍ବା କମ୍ପ୍ୟୁଟରରେ ସହଜରେ ନିଜ ଘରୋଇ ସୂଚନା ପୂର୍ବରୁ ପଞ୍ଜିକୃତ କରିପାରିବେ । ପଞ୍ଜିକୃତ କରାଯାଇଥିବା ସମ୍ପୂର୍ଣ୍ଣ ଗୋପନୀୟ ରହିବ। ସଫଳ ପଞ୍ଜିକୃତ କରିବା ପରେ ପଞ୍ଜିକୃତ କରିଥିବା ବ୍ୟକ୍ତି ଏବେ ‘ସ୍ୱଗଣନା ପରିଚୟ ସଂଖ୍ୟା’ ପାଇବେ ଯାହାକୁ ଗଣନାକାରୀ ଘରଜୁ ଘର ଯାଇ ସ୍ୱଚନା ସଂଗ୍ରହ କରିବା ସମୟରେ ଏହି ସ୍ୱଗଣନା ପରିଚୟ ସଂଖ୍ୟା ପ୍ରଦାନ କଲେ ପୁନଃସୂଚନା ପଞ୍ଜିକୃତ କରିବା ଆବଶ୍ୟକ ପଡିବନାହିଁ । ଏପ୍ରିଲ ୧୬ ତାରିଖରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ଗଣନାକାରୀ ମାନେ ଘରକୁଘର ଯାଇ ଗୃହ ତାଲିକା କରଣ କାର୍ଯ୍ୟକରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ନାଗରିକ ମାନଙ୍କ ସହଯୋଗ ସଠିକ୍ ତଥ୍ୟ ସଂଗ୍ରହରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତର ଉନ୍ନୟନ ଓ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ପାଇଁ ସରକାରଙ୍କୁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ମଧ୍ୟ୍ୟ ସେ ମତପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ ଯେଉଁ ଦିନ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହେଲା ଅର୍ଥାତ ଏପ୍ରିଲ ୧ତାରିଖରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଜିଲ୍ଲା କାର୍ଯ୍ୟାଳୟରେ ଥିବା ଜନଗଣନା ସହାୟତା କେନ୍ଦ୍ରରେ ସ୍ୱଗଣନା ପଞ୍ଜିକୃତ କରିବା ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସ୍ୱଗଣନା ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ୫ଜଣ ସାମ୍ବାଦିକ ନିଜନିଜର ସ୍ୱଗଣନା ପଞ୍ଜିକୃତ କରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲା ଜନଗଣନା ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି । ଡେରାବିଶ ବ୍ଲକ୍ ସମ୍ମିଳନୀ କକ୍ଷରେ ଗତ ଫେବୃୟାରୀ ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ସମସ୍ତ ସିଲ୍ ଫିଲଡ ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।


