ପୂର୍ତ ବିଭାଗ ରାସ୍ତା ସଫେଇରେ ଅନିୟମିତତା
ନାଉଗାଁ,(ଓ୍ବାଇଏନଏସ): ବର୍ଷାରିତୁ ପରେ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅନାବନା ଘାସ ଉଠି ରାସ୍ତା ଉପରକୁ ମାଡି ଯିବା ସହିତ ରାସ୍ତା ପାଶ୍ୱର୍ରେ ରହିଥିବା ଗଛରୁ ଡାଳପତ୍ର ଗୁଡିକ ରାସ୍ତା ଉପରେ ପଡି ରହିଥାଏ। ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସହିତ ଜନସାଧାରଣ ଯିବା ଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜନସାଧାରଣମାନେ ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଅକ୍ଟୋବର ମାସ ପରେ ରାସ୍ତାକୁ ସଫେଇ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକରେ ରହିଥିବା ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ଅଧିନ ବାଲିଭଉଁରୀ-ଶିଖରଘାଟ, ନାଉଗାଁ-ଅରଖକୁଦ, ଅଲଣାହାଟ-କୁଣ୍ଡେଶ୍ୱର, ଆଳିପଙ୍ଗଳ-ପାଳସାହି ଆଦି ରାସ୍ତାର ଉଭୟ ପାଶ୍ୱର୍ ସଫେଇ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ସରକାରଙ୍କ ନିୟମାନୁସାରେ ରାସ୍ତାର ଢଳେଇ କିମ୍ବା ପିଚୁ ରାସ୍ତାର ଶେଷ ପାଶ୍ୱର୍ରୁ ଉଭୟ ପାର୍ଶ୍ୱ ଏକ ମିଟର ଲେଖାଁଏ ସଫେଇ କରିବା ସହିତ ଖାଲ ସ୍ଥାନରେ ମାଟି,ମରମ ପକାଇ ସମତୁଲ କରାଯିବ। ଏହା ବାବଦକୁ କିଲୋମିଟର ପିଛା ୨୪ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ କାର୍ଯ୍ୟ କରୁଥିବା ଠିକାସଂସ୍ଥା ରାସ୍ତା ଉପର ମାଡିଯାଇଥିବା ଅନାବନା ଘାସକୁ ସଫେଇ କରି ନାମକୁ ମାତ୍ର ରାସ୍ତାର ଉଭୟ ପାଶ୍ୱର୍କୁ ଘାସ ସଫା କରାଯାଇଥିବା ଦେଖିବାକୁ ମିଳିଛି। ସଫେଇ କରାଯିବା ସମୟରେ ବିଭାଗର କୌଣସି ଅଧିକାରୀ ରହୁ ନଥିବା ବେଳେ ଠିକାଦାର ନିଜ ମନଇଚ୍ଛା କାର୍ଯ୍ୟ କରୁଥିବା ଦେଖାଦେଇଛି। ଏପରିକି ଗଁ ଗହଳି ଦେଇ ଯାଇଥିବା ରାସ୍ତାରେ ରାସ୍ତା ଉପରକୁ ମାଡିଥିବା ଗଛ ଲତାକୁ ମଧ୍ୟ ସଫା କରାଯାଉନାହିଁ। ରାସ୍ତା ସଫେଇ ବାବଦକୁ ସରକାର କିଲୋମିଟର ପିଛା ୨୪ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରୁଥିବା ବେଳେ କାହା ସ୍ୱାର୍ଥରେ ନାମକୁ ମାତ୍ର ସଫେଇ କାର୍ଯ୍ୟ କରାଯାଇ ବିଲ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି କାର୍ଯ୍ୟ ବିଷୟରେ ବିଭାଗର ସହକାରୀ ଯନ୍ତ୍ରୀ ରାମଲାଲ ସେଠୀଙ୍କୁ ପଚାରିବାରୁ ସେ କାର୍ଯ୍ୟ ବିଷୟରେ ଜାଣି ନଥିବା କହିଥିଲେ। ପୂର୍ତ ବିଭାଗର ରାସ୍ତାକୁ ଠିକାଦାରମାନେ ସଫେଇ କରୁଥିବା ବେଳେ ବିଭାଗୀୟ ସହକାରୀ ଯନ୍ତ୍ରୀ କାର୍ଯ୍ୟ ସଂର୍ପକରେ ଜାଣି ନଥିବା କହିିବା କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


