ସରକାରୀ ଅର୍ଥ ଆତ୍ମସାତ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ୩ବର୍ଷ ଜେଲ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ଏକ ସରକାରୀ ଅର୍ଥ ଆତ୍ମସାତ କରିବା ମାମଲାର ବିଚାର କରି କେନ୍ଦ୍ରାପଡ଼ା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ୍ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଦୁଇଟି ବିଦ୍ୟାଳୟ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ ଆଚାର୍ଯ୍ୟଙ୍କୁ ୩ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ ଜଜ ଅଭିଯୁକ୍ତ ଶିକ୍ଷକଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଗୋଖାପଡ଼ା ପ୍ରାଥମିକ ବିଦ୍ୟାଳୟ ଓ କରଞ୍ଜିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ ନିର୍ମଳ କୁମାର ଆଚାର୍ଯ୍ୟ। ୨୦୧୬ ମସିହାରେ ଗୋଖାପଡ଼ା ପ୍ରାଥମିକ ବିଦ୍ୟାଳୟର ଉନ୍ନୟନ ଆଳରେ ୩ ଲକ୍ଷ ୨୨ ହଜାର ଟଙ୍କା ଓ କରଞ୍ଜିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ କରିବା ଆଳରେ ୩ ଲକ୍ଷ ୫୩ ହଜାର ଟଙ୍କା ସରକାରୀ ତହବିଲରୁ ଉଠାଇ ନେଇ ପ୍ରଧାନ ଶିକ୍ଷକ ଶ୍ରୀ ଆଚାର୍ଯ୍ୟ ନିଜେ ଆତ୍ମସାତ କରିଥିଲେ। ଏ ନେଇ ଶିକ୍ଷାବିଭାଗ କର୍ମଚାରୀ ଅତନୁ କୁମାର ଦାସ ତତ୍‌କାଳୀନ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାର୍ଶାଘାଇ ଥାନାରେ ଗତ ୨୦୧୬ ମସିହା ଫେବୃୟାରୀମାସ ୧୧ ତାରିଖରେ ଏତଲା ଦେଇଥିଲେ। କାରଣ ବିଦ୍ୟାଳୟ ଦୁଇଟି ମାର୍ଶାଘାଇ ଥାନା ଅଧିନରେ ରହିଛି। ଏହି ମାମଲାର ତଦନ୍ତ କରି ପୋଲିସ ୨୦୧୮ ମସିହା ଅଗଷ୍ଟମାସ ୨୪ ତାରିଖରେ ଅଦାଲତରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ। ସେହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ତତକାଳୀନ ଥାନା ଅଧିକାରୀ ସୁକାନ୍ତ ପାତ୍ର। ଏହି ମାମଲାରେ କୋର୍ଟରେ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ୍ ସରିତା ମହାନ୍ତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ