ଏକବର୍ଷ ହେବ ପେନସନ ପାଇବାରୁ ବଞ୍ଚିତ ପ୍ରଧାନଶିକ୍ଷକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବାରମାସ ହେବ ଜଣେ ପ୍ରଧାନଶିକ୍ଷକ ଅବସର ନେଇଥିଲେ ସୁଦ୍ଧା ପ୍ରଶାସନିକ ପେଞ୍ଚରେ ଫସି ଅଦ୍ୟାବଧି ପେନସନ ପାଇପାରୁନାହାନ୍ତି। ପେନସନ ମିଳୁନଥିବାରୁ ଦୁଃଖ କଷ୍ଟରେ ତାଙ୍କ ଜୀବନ କଟୁଛି। ଏନେଇ ସେ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିଛନ୍ତି।କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଚନ୍ଦନନଗର ଉନ୍ନିତ ଉଚ୍ଚ ବିଦ୍ୟାଳୟରୁ ଅବସର ନେଇଥିବା ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ସାହୁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମନ୍ଦ ଉଦ୍ଦେଶ୍ୟ ଯୋଗୁଁ ସେ ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅବସର ପରେ ସମସ୍ତ ପ୍ରକାର ତଥ୍ୟ ଶିକ୍ଷା ବିଭାଗରେ ପଇଠ କରିଥିଲେ ମଧ୍ୟ ସେ କିପରି ପେନସନ ପାଇବେ ସେ ନେଇ କର୍ମଚାରୀମାନେ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହାଫଳରେ ସେ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି। ସେ କହିଛନ୍ତି ସରକାରୀ ନିୟମ ମୁତାବକ ଅବସର ନେବାର ଦୁଇମାସ ମଧ୍ୟରେ ସମସ୍ତ କାଗଜପତ୍ର ପଇଠ କରାଗଲେ ପେନସନ ମିଳିଯିବ। କିନ୍ତୁ ଶିକ୍ଷା ବିଭାଗର କର୍ମଚାରୀମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସେ ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ତାଙ୍କ ଦୈନନ୍ଦିନ ଜୀବନ ନିର୍ବାହରେ ଗୁରୁତ୍ତର ସମସ୍ୟା ସୃଷ୍ଟି ହୋଇଛି। ତେଣୁ ତାଙ୍କ ସମସ୍ୟାକୁ ବିଚାର କରାଯାଇ ତୁରନ୍ତ ତାଙ୍କୁ ପେନସନ ପ୍ରଦାନର ବ୍ୟବସ୍ଥା କରାଯିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏସମ୍ପର୍କରେ ପଚାରିବାରେ ସେ କହିଛନ୍ତି ଯେ ତାଙ୍କ ପେନସନ କାଗଜପତ୍ର ପ୍ରସ୍ତୁତ କରାଯାଉଛି। ଖୁବଶୀଘ୍ର ପେନସନ ମଞ୍ଜୁର ପାଇଁ ସମସ୍ତ କାଗଜପତ୍ର ପଠାଯିବ।


