ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ମାମଲା: ଦେଢ ମାସ ପରେ ପ୍ରଧାନ ଶିକ୍ଷକ ଗିରଫ

ହାଟଡିହି (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ବ୍ରାହ୍ମଣୀକଳା ଠାକୁରାଣୀ ବିଦ୍ୟାପୀଠରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ  ମାଟ୍ରିକ ପରୀକ୍ଷାରେ ଏ-୧ ରେ କୃତକାର୍ଯ୍ୟ କରାଇଦେବି ବୋଲି କହି ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗର ଦେଢ଼ ମାସ ପରେ ଆଜି ସଂପୃକ୍ତ ରସିକିଆ ପ୍ରଧାନ ଶିକ୍ଷକଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଥିବା ଶୁଣା ଯାଉଛି। ଯଦିଓ ନନ୍ଦିପଦା ପୋଲିସ୍ ଏନେଇ କିଛି ସୁଚନା ଦେଇନାହିଁ । କିନ୍ତୁ ଆନନ୍ଦପୁର ଏସଡିପିଓ କହିଛନ୍ତି ଯେ ଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଭାଗିରଥି କବିଙ୍କୁ ଯାଜପୁର ଟାଉନ୍ ଅଞ୍ଚଳରୁ ଉଠାଇ କେନ୍ଦୁଝର ନେଇଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ  ନନ୍ଦିପଦା ଥାନା ବ୍ରାହ୍ମଣୀକଳା ସ୍ଥିତ ତାରିଣୀ ଠାକୁରାଣୀ ବିଦ୍ୟାପୀଠ ପରିସରରେ ଗତ ମେ ମାସ ୨୪ତାରିଖରେ   କୋଚିଂ ପାଇଁ ବିଦ୍ୟାଳୟକୁ ଆସିଥିବା ଜଣେ ଦଶମ ଶ୍ରେଣୀ  ଛାତ୍ରୀକୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥୀ କବି ଛାତ୍ରୀ ଜଣକୁ ପାଣି ଦେବା ବାହାନାରେ ଅଫିସ୍ ରୁମ୍ କୁ ଡାକି  ମୋ କଥା ଯଦି ମାନିବୁ ତେବେ ତୋତେ ଏ -୧ ରେ ପାସ କରାଇ ଦେବି ବୋଲି କହି ଦୁଷ୍କର୍ମ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ପଳାଇ ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ସ୍କୁଲ ବଦନାମ ହେବା ଭୟରେ ଗ୍ରାମବାସୀ ମାନେ ପ୍ରଥମେ ଗାଁରେ ବୈଠକ ବସି ସମାଧାନ ପାଇଁ ଉଦ୍ୟମ ହୋଇଥଲା। କିନ୍ତୁ କିଛି ସମାଧାନ ହୋଇ ନପାରିବାରୁ  ପରିବାର ଲୋକେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦିପଦା ପୋଲିସ ଥାନା କେସ ନଂ ୧୪୬/୨୦୨୫ରେ ମାମଲା ରୁଜ୍ଜୁ କରିଥିଲା ।  କିନ୍ତୁ ଗିରଫ କରିବାରେ ଟାଳଟୁଳ ନୀତି ଯୋଗୁଁ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରୁ ନଥିଲା।  ଯାହାକୁ ନେଇ ପୁଲିସର କାର୍ଯ୍ଯ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।   ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ଅପରାଧୀଙ୍କୁ ଗିରଫ କରିବାରେ ପୁଲିସର ଏପରି ଅବହେଳା ସମ୍ପର୍କରେ ବାରମ୍ଵାର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଆଜି ନନ୍ଦିପଦା ପୋଲିସର ଏକ ଟିମ୍ ଯାଜପୁର ଜିଲ୍ଲାରୁ ଅଭିଯୁକ୍ତ ପ୍ରଧାନଶିକ୍ଷକ କୁ ଗିରଫ କରିଥିବା ଜଣାପଡ଼ିଛି। କିନ୍ତୁ ଶିକ୍ଷା ବିଭାଗର ଏକ ୪ଜଣିଆ କମିଟ ଗତ ସୋମବାର ସ୍କୁଲକୁ ଯାଇ ତଦନ୍ତ କରି ରିପୋର୍ଟ ଦେଇଥିଲେ ବି କାହିଁକି ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଆଜି ପର୍ଯ୍ୟନ୍ତ ନିଲମ୍ବିତ କରା ଯାଇନି ତାକୁ ନେଇ ପ୍ରଶ୍ନ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ