ଗୈାସ୍ୱାମୀ ଅନାମ ଚରଣ ଦାଶଙ୍କୁ ଜଗନ୍ନାଥ ସେବା ସମ୍ମାନ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ) :ସନାତନ ଧର୍ମ ପାଇଁ ଦୀର୍ଘ ୫୦ ବର୍ଷ ଧରି ଅବିରତ ସେବାରେ ନିୟୋଜିତ ଥିବା ୮୩ ବର୍ଷୀୟ ବୃଦ୍ଧ ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ରାଜସ୍ଥାନର ଜୟପୁରରେ ଜଗନ୍ନାଥ ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକର ବ୍ରହ୍ମପୁର ଗ୍ରାମର ବିଶିଷ୍ଟ ସନାତନ ଧର୍ମ ବେଦାନ୍ତ ଓ ପୌରାଣିକ ଆଚାର୍ଯ୍ୟ ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ଜୟପୁର ରାଜସ୍ଥାନରେ ତାଙ୍କର ଦୀର୍ଘ ୫୦ ବର୍ଷର ଧାର୍ମିକ ସେବା ପାଇଁ ଗରିମାମୟ ସମ୍ମାନ ଦିଆଯାଇଛି। ଜଗନ୍ନାଥ ସେବକ ସମିତି, ଜୟପୁରଙ୍କ ଆମନ୍ତ୍ରଣରେ ସେ ସେଠାରେ ପହଞ୍ଚିି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଜଗନ୍ନାଥ ସାଂସ୍କୃତିକ ମହୋତ୍ସବରେ ରାଜସ୍ଥାନର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଏମ.ପି., ଏମ୍.ଏଲ୍.ଏ. ଓ ଅନେକ ଆଧ୍ୟାତ୍ମିକ ଗୁରୁମାନେ ଉପସ୍ଥିତି ଥିଲେ। ଏହି ଅବସରରେ ୨୫ ହଜାରରୁ ଅଧିକ ଭକ୍ତ କାର୍ଯକ୍ରମରେ ଯୋଗଦେଇଥିଲେ। ଯେଉଁମାନେ ବ୍ରଜ ନିଧି ମନ୍ଦିରରେ ଦିନନିଶା ଅଷ୍ଟପ୍ରହରୀ କୀର୍ତ୍ତନ, ମନ୍ତ୍ର ଉଚ୍ଚାରଣ ଓ ସତସଙ୍ଗରେ ଅଂଶଗ୍ରହଣ କରିଥିଲେ। ଗୋସ୍ୱାମୀ ଅନାମଙ୍କ ଦ୍ୱାରା ଉଚ୍ଚାରିତ “ଜଗନ୍ନାଥ ସହସ୍ରନାମ” ଏକ ଭାବମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ରାଜସ୍ଥାନ ସରକାରଙ୍କ ସଚିବ ଡ. କୃଷ୍ଣକାନ୍ତ ପାଠକ ତାଙ୍କୁ ସମ୍ମାନିତ କରି ଓଡ଼ିଶାରେ ସେ କରିଥିବା ୧୦୦୮ଟି ଅଷ୍ଟପ୍ରହରୀ ନାମଯଜ୍ଞ ଓ କୃଷ୍ଣ ଭକ୍ତି ପ୍ରଚାର କାର୍ଯ୍ୟ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି। ତାଙ୍କ ସୂପୁତ୍ର ପ୍ରଫେସର କମଳାକାନ୍ତ ଦାଶ ତାଙ୍କର ଏହି ଧାର୍ମିକ ଅଭିଯାନରେ ସହଯୋଗୀ ଭାବେ ଉପସ୍ଥିତ ଥିଲେ। ସେମାନେ ଜଗନ୍ନାଥ ଲୀଳା ଓ ଜଗନ୍ନାଥ ଚେତନାକୁ ଦେଶର ଅନ୍ୟାନ୍ୟ ରାଜ୍ୟ ଓ ବିଦେଶରେ ପ୍ରଚାର କରିବାକୁ ସଂକଳ୍ପ ଗ୍ରହଣ କରିଛନ୍ତି। ବହୁ ବାଧା ବିଘ୍ନ ସତ୍ୱେ ଏହି ବାପା ପୁଅ ଯୁଗଳ ଭାରତୀୟ ଆଧ୍ୟାତ୍ମିକ ଦାୟିତ୍ୱକୁ ଗ୍ରହଣ କରିଛନ୍ତି। ଗୋସ୍ୱାମୀ ଅନାମ ଏବେ ମାଦଳା ପାଞ୍ଜି ଓ ମୁକ୍ତି ମଣ୍ଡପ ସଭାର ଗବେଷଣା ଆଧାରରେ ଏକ ପୁସ୍ତକ ରଚନା କରୁଛନ୍ତି। ଯେଉଁଥିରେ ପୁରୀ ଶ୍ରୀମନ୍ଦିରର ପୂଜା ପଦ୍ଧତି, ସେବା ଦର୍ଶନ ଓ ତତ୍ୱ୍ୱ ଭିତ୍ତିକ ଧାର୍ମିକ ଦୃଷ୍ଟିକୋଣକୁ ଉଜାଗର କରାଯିବ ବୋଲି ଗୋସ୍ୱାମୀ କହିଛନ୍ତି। ଏହି ଉପଲକ୍ଷେ ତାଙ୍କୁ ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ ଭଳି ଅନ୍ୟାନ୍ୟ ରାଜ୍ୟରୁ ଜଗନ୍ନାଥ ସତସଙ୍ଗ, କୀର୍ତ୍ତନ, ଆଧ୍ୟାତ୍ମିକ ଆଲୋଚନା ପାଇଁ ଆମନ୍ତ୍ରଣ ମିଳିଛି। ଏହି ଯାତ୍ରା ଭାରତର ଏକ ନୂଆ ଜଗନ୍ନାଥ ଭକ୍ତି ଜାଗରଣର ଆରମ୍ଭ ଯାହା ଯୁଗ ଯୁଗ ଧରି ଲୋକମାନଙ୍କୁ ଭକ୍ତି, କାରୁଣ୍ୟ ଓ ଏକତାର ମାର୍ଗରେ ଗତି କରିବା ପାଇଁ ପ୍ରେରିତ କରିବ ବୋଲି ମତପ୍ରକାଶ ପାଇଛି।


