ଜଳସେଚନ ରାସ୍ତାକୁ ହାଣିଲା ଜନସ୍ୱାସ୍ଥ୍ୟ ବିଭାଗ: ଯାତାୟତ ବାଧାପ୍ରାପ୍ତ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ଜଳସେଚନ ବିଭାଗ ରାସ୍ତାକୁ ହାଣିଦେଇଛି କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ବିଭାଗ। କେନ୍ଦ୍ରାପଡା କେନାଲର କାକଟ ଠାରୁ ଦାନପୁର କେନାଲବନ୍ଧ ରାସ୍ତାର ଶ୍ୟାମସୁନ୍ଦରପୁର କେନାଲ ଓଭରବିଜ ଆଦିବାସୀବସ୍ତି ନିକଟ କେନାଲବନ୍ଧ ରାସ୍ତାରେ ପାଣି ପାଇପ ବିଛାଯିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ରାସ୍ତାକୁ କାଟି ଦେଇଛି। ଏହାଦ୍ୱାରା ରାସ୍ତା ମଝିରେ ଖାଲଖମା ସୃଷ୍ଟି ହୋଇଛି। ଫଳରେ ସେହି ରାସ୍ତାରେ ଗାଡିମଟର ଯାତାୟତରେ ଘୋର ବାଧା ସୃଷ୍ଟି ହୋଇଛି। ରାସ୍ତା କଟାଯାଇଥିବା ସମ୍ପର୍କରେ ଜଳସେଚନ ବିଭାଗକୁ ଜନସ୍ୱାସ୍ଥ୍ୟ ବିଭାଗ କୈାଣସି ପ୍ରାକ୍ ସୂଚନା ଦେଇନଥିବା ବେଳେ ସେହି ରାସ୍ତା ପାଶ୍ୱର୍ରେ ଏସମ୍ପର୍କିତ କୈାଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ। ଯାହାଦ୍ୱାରାକି ଏହି ରାସ୍ତାରେ ଯିବାଆସିବା କରୁଥିବା ପଥଚାରୀମାନେ ଦୂର୍ଘଟଣାରେ ଶିକାର ହେଉଛନ୍ତି। ଏହି ରାସ୍ତା ଦେଇ ଯାଉଥିବା ୨ଜଣ ବାଇକ ଆରୋହୀ ଦୂର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ଏକ ଅଟୋରିକ୍ସା ଓ ଏକ କାର ମଧ୍ୟ ଅଳ୍ପକେ ଦୂର୍ଗଟଣାରୁ ବର୍ତ୍ତିଯାଇଛି। ଜନସ୍ୱାସ୍ଥ୍ୟ ବିଭାଗର ଏପରି ବେପରୁଆ ମନୋଭାବକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସମାଜସେବୀ ପ୍ରଦୀପ କୁମାର ମହାନ୍ତି କୁହନ୍ତି ଯେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରହୁନାହିଁ ଯାହା ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ରହିବାର ଆବଶ୍ୟକତା ରହିଛି। ଦୁଇଟି ବିଭାଗ ଏସମ୍ପର୍କରେ ଆଲୋଚନା କରି କାର୍ଯ୍ୟ କରିଥିଲେ ଏପରି ହୋଇନଥାନ୍ତା। ସେଠାରେ ଯଦି ସୂଚନା ଫଳକ ମରାଯାଇଥାନ୍ତା ତେବେ ଲୋକମାନେ ସେହି ରାସ୍ତା ଦେଇ ସାବଧାନ ସହକାରେ ଯାଇଥାନ୍ତେ ନଚେତ ଅନ୍ୟ ରାସ୍ତା ଦେଇ ଯାଇଥାନ୍ତେ। ପାଣି ପାଇପ ଯିବାକୁ ବାଧା ଦିଆଯିବା ଉଚିତ ନୁହେଁ। କିନ୍ତୁ ସେଥି ନିମନ୍ତେ ଆବଶ୍ୟକ ସରକାରୀ ନୀତି ନିୟମକୁ ମଧ୍ୟ ପାଳନ କରାଯିବା ଉଚିତ। ଏସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରମଣ କୁମାର ଦାସଙ୍କୁ ପଚାରିବାରେ ସେ କୁହନ୍ତି ଯେ ଆମେ ଖୁବ ଶୀଘ୍ର ସେହି ରାସ୍ତାର ମରାମତି କରିଦେବୁ। ଫଳରେ ସେହି ରାସ୍ତାରେ ଯାତାୟତ କରୁଥିବା ଲୋକେ ସମସ୍ୟାରେ ପଡିବେ ନାହିଁ।