ନାଉଗାଁ ବ୍ଳକରେ ମନରେଗା ଯୋଜନାର ପ୍ରହସନ ପାଲଟିଛି ଜନ ଶୁଣାଣି

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ହେଉଥିବା ଜନ ଶୁଣାଣି ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି। ଉକ୍ତ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପରେ ଅନିୟମିତତା ହେଉଥିଲେ ମଧ୍ୟ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ କରାଯାଉ ନଥିବା ଅଭିଯୋଗ ହୋଇଛି। ଉକ୍ତ ଶୁଣାଣି କେବଳ କାଗଜ କଲମରେ ସିମିତ ରହିଥିବା ଅଭିଯୋଗ ହେଉଛି। ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଉପରେ ଗୋଟିଏ ଆର୍ଥିକ ବର୍ଷରେ ଦୁଇ ଥର ଜନଶୁଣାଣି କରାଯିବାର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ ଏହି ବ୍ଲକରେ ଦୁଇ ଥର ଜନ ଶୁଣାଣି କରାଯାଉଛି। ଏହି ଜନଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଏବଂ ବିଡିଓଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ପଂଚାୟତ ପ୍ରତିନିଧି ଓ ଜବକାର୍ଡଧାରୀମାନେ ଉପସ୍ଥିତ ରହିବାର ନିର୍ଦ୍ଦେଶ ରହିଛି। କିନ୍ତୁ ବିଗତ ଦିନରେ ହୋଇଥିବା ଶୁଣାଣି ଶିବିରରେ କେବଳ ପ୍ରଶାସନିକ ଅଧିକାରୀମାନେ ରହିଥିବା ବେଳେ ଜବକାର୍ଡଧାରୀମାନଙ୍କର ଦେଖା ମିଳେ ନାହିଁ। ସେହିପରି ଗତ ଶୁଣାଣି ୨୦୨୪ ସେପ୍ଟେମ୍ବର ୨୪ ଓ ୨୦୨୫ ଜାନୁୟାରୀ ୨୧ରେ ଏହି ବ୍ଲକରେ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣିରେ ସମାଜସେବୀ ନିରଞ୍ଜନ ସାହୁ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ତିରୁଣା ପଂଚାୟତରେ ଉର ଗ୍ରାମ ପଂଚାୟତ ଟ୍ୟାଙ୍କ ନବୀକରଣ ଓ ଝିଲିପଡା ପୋଖରୀ ଖନନ ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଥିଲେ। ଦୁଇଟି ଅଭିଯୋଗ ଶୁଣାଣୀ ଶିବରରେ ସମାନ ଅଭିଯୋଗ ହୋଇଥିଲେ ମଧ୍ୟ ପାଖାପାଖି ୮ ମାସରୁ ଉର୍ଦ୍ଧ୍ୱ ସମୟ ହେବ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ତଦନ୍ତ କରାଯାଇ ନଥିବା ସାହୁ ପ୍ରକାଶ କରିଛନ୍ତି। ତେଣୁ ଉକ୍ତ ଜନ ଶୁଣାଣି ନାମକୁ ମାତ୍ର ଚାଲିଥିବା ସେ କହିଛନ୍ତି। ଅନ୍ୟପଟରେ ଆସନ୍ତା ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୮ଟି ବ୍ଲକରେ ଜନ ଶୁଣାଣୀ କରାଯିବା ପାଇଁ ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ସ୍ଥିର କରାଯାଇଛି। ଏଥିରେ ଆସନ୍ତା ୧୭ ତାରିଖରେ ନାଉଗାଁ ବ୍ଲକରେ ଶୁଣାଣୀ କରାଯିବା ପାଇଁ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପତ୍ରରେ ଉଲ୍ଲେଖ ରହିଛ। ଏବିଷୟରେ ବିଡିଓ ନିରଞ୍ଜନ ପରିଡାଙ୍କୁ ପଚାରିବାରେ ଅଭିଯୋଗ ବିଷୟରେ ସେ ଜାଣି ନାହାନ୍ତି, କ’ଣ ହୋଇଛି ବୁଝିକି ଜଣାଇବି ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ