ଅକର୍ମଣ୍ୟ ହୋଇ ସରକାରୀ ସାହାଯ୍ୟକୁ ଚାହିଁ ବସିଛନ୍ତି ପବିତ୍ର ନାୟକ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ପଥରବଣି (ଜେକ) ଗ୍ରାମର ଦିନ ମଜୁରିଆ ପବିତ୍ର ନାୟକ ମେରୁଦଣ୍ଡ ସମସ୍ୟା ରୋଗରେ ପୀଡିତ ହୋଇ ଅକର୍ମଣ୍ୟ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି। ପବିତ୍ର ଥିଲେ ଘରର ରୋଜଗାରିଆ ବ୍ୟକ୍ତି। ପବିତ୍ର ପରିଶ୍ରମ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ବାପା, ପତ୍ନୀ ଓ ୫ ଜଣ ସନ୍ତାନ ମିଶି ପରିବାରର ୮ ଜଣ ଦୁଃଖ କଷ୍ଟ ସହ ଚଳିଯାଉଥିଲେ। ପରିବାରର ସଦସ୍ୟ ସଂଖ୍ୟା ୮ ଜଣ ହୋଇଥିଲେ ମଧ୍ୟ ରାସନ କାର୍ଡରେ ୫ ଜଣଙ୍କ ନାମ ଥିବା ଯୋଗୁଁ ସମସ୍ତ ପରିବାର ସଦ୍ୟ ପାଇଁ ରାସନ ସାମଗ୍ରୀ ମିଳିପାରୁନାହିଁ। ମାତ୍ର ୪୦ ବର୍ଷ ବୟସରେ ପବିତ୍ର ନାୟକଙ୍କ ମେରୁଦଣ୍ଡ ସମସ୍ୟା ଆରମ୍ଭ ହେବା ପରେ ସେ ଆଉ କାମ କରିପାରିଲେ ନାହିଁ। ଚିକିତ୍ସା ପାଇଁ ପବିତ୍ର ୧୧/୮/୨୫ ତାରିଖରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ୭/୯/୨୫ ତାରିଖ ଦିନ ହସପିଟାଲରୁ ଡିସଚାର୍ଜ ହୋଇ ନିଜ ଘରକୁ ଫେରି ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି। ଏଣେ ନିଜର ବୃଦ୍ଧ ବାପାଙ୍କ ହାତ ଭାଙ୍ଗି ଯାଇଥିବା ଯୋଗୁଁ ପରିବାର ଅନ୍ୟ ଏକ ଚାପଗ୍ରସ୍ତ ହେବା ସହ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ଗରିବ ପରିବାରର ଏହିପରି ଦୁଃଖଦ ବିଷୟ ଜାଣିବା ପରେ ଓଡିଶା ରକ୍ତଦାତା ସଂଘର ସଭାପତି ଅକ୍ଷୟ କୁମାର ରାଉତ ଦୁଇ ଥର ସେହି ପରିବାର ନିକଟକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଉପଯୁକ୍ତ ଚିକିତ୍ସା ହୋଇପାରିଲେ ପୂର୍ବ ପ୍ରକାର କାର୍ଯ୍ୟକ୍ଷମ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏହି ଗରିବ ପରିବାରର ମୁଖ୍ୟ ପବିତ୍ର ନାୟକଙ୍କୁ ସରକାରୀ ସ୍ତରରେ ଧାରାବାହିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଗଲେ ସେ ପୂର୍ବ ଭଳି ସ୍ୱାସ୍ଥ୍ୟବାନ ବ୍ୟକ୍ତି ହୋଇ ପରିବାରରେ ଖୁସିର ଲହରୀ ଖେଳିପାରିବ।