ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର,ବଳଧିଆ,ଆମ୍ବଗାଁ, ପଳାଶପୁର,ଇନ୍ଦିରାଆବାସ ଗାଁ, ଲୁଣିନାଠି, ଗଙ୍ଗାପୁର, ୨ ୟ ଢେପାଗୁଡ଼ା, ତିଳେଶ୍ୱର, ବଳଧିଆ ଖଇର ପଦର, ସିଙ୍ଗପୁର, ଗୁଣ୍ଡୁରିଗୁଡ଼ା,ଆଦିକନ୍ଦପୁର,ସୁନାଖଣ୍ଡି ପ୍ରଭୃତି ଇଲାକାରେ ଗତ ପ୍ରାୟ ୧ ସପ୍ତାହ ହେଲା ୪ ଟିକିଆ ହାତୀପଲ ଦୌରାତ୍ମ୍ୟ ଚଳାଇଛନ୍ତି। ସନ୍ଧ୍ୟାହେଲେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ହରିଣା ଗ୍ରାମ ନିକଟ ଜଙ୍ଗଲ ଜମିରେ ଅସ୍ଥାୟୀ ଗୁହାଳ କରି ଗାଈ ରଖୁଥିବା ଗ୍ରାମର ଜୁରିଆ ଗୌଡ଼ ଙ୍କ ଗାଈ ମାନଙ୍କୁ ଦନ୍ତା ହାତୀ ଆକ୍ରମଣ କରିବାରୁ ଗୋଟିଏ ଗାଈ ମୃତ୍ୟୁବରଣ କରିଥିବା ବେଳେ ୨ ଟି ଗାଈ ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ବଳଧିଆ ,ହରିଣା ଗାଁ କୁ ହାତୀ ପଲ ଆସିଥିବାରୁ କିଛି ଯୁବକ ହାତୀ ଙ୍କ ଉପରକୁ ବାଣ ରେ ନିଆଁ ଲଗାଇ ଫୋପାଡ଼ି ଥିଲେ। ହାତୀ ପଲ ଉତ୍ତେଜିତ ହୋଇ ଜଙ୍ଗଲ ମଧ୍ୟକୁ ଯାଉଥିବା ବେଳେ ଜୁରିଆ ଙ୍କ ଗୁହାଳ ପାଖକୁ ମାଡି ଯାଇ ଖୁଣ୍ଟ ରେ ବନ୍ଧା ହୋଇଥିବା ଗାଈ ଗୁଡ଼ିକୁ ଦଳି ଦେବା ସହ ଶୁଣ୍ଢ ରେ ଫୋପାଡ଼ି ଦେଇଥିଲେ। ଗୋଟିଏ ଗାଈ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨ ଗାଈ ଗୁରୁତର ଆହତ ହୋଇଥିଲେ।ଖବରପାଇ ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ଅଧିନ ପାଟପୁର ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ,ଫରେଷ୍ଟ ଗାର୍ଡ ଯମୁନା ଜାନି,ସାରଥି କାର୍ଜି ଏବଂ ପାରା ବନ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ଏନେଇ ଡେଙ୍ଗାଓସ୍ତା ଗ୍ରାମ ପ୍ରାଣୀ ଚିକିତ୍ସାଳୟ ର ଡା.ସୁଲେଖା ପଣ୍ଡା ଏବଂ କର୍ମଚାରୀ ମାନଙ୍କୁ ଡକାଇ ଆହାତ ଗାଈ ମାନଙ୍କ ଚିକିତ୍ସା କରାଯାଇଥିଲା। ବନ ବିଭାଗ ଉଚ୍ଚ ଅଧିକାରୀ ମାନଙ୍କ ପରାମର୍ଶକ୍ରମେ ପ୍ରାଣୀଧନ ଚିକିତ୍ସିକା ଘଟଣାସ୍ଥଳ ରେ ମୃତ ଗାଈ ର ବ୍ୟବଚ୍ଛେଦ କରିବା ପରେ ସେଠାରେ ପୋତି ଦିଆଯାଇଥିବା ଫରେଷ୍ଟର କହିଛନ୍ତି। କ୍ଷତିପୂରଣ ପାଇଁ ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଅନୁକମ୍ପା ଆପ୍ ଜରିଆରେ ଆବେଦନ କଲେ ନିୟମ ପ୍ରକାରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ଜଣାଇଛନ୍ତି। ସୂଚନାଯୋଗ୍ୟ ଏହିକିଯେ,ଗତ ଫେବୃଆରୀ ୨୩ ତାରିଖ ଭୋର ପ୍ରାୟ ୫ ଟାରେ ଚାଷଜମି ରେ କାମ କରୁଥିବା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତ ଙ୍କ ସ୍ତ୍ରୀ ଉର୍ମିଳା ରାଉତ(୫୧) ଏବଂ ସ୍ବର୍ଗତ କାଶୀନାଥ ପ୍ରଧାନ ଙ୍କ ପୁଅ ଗୋପୀନାଥ ପ୍ରଧାନ(୬୭) ଙ୍କୁ ଦନ୍ତା ହାତୀ ଆକ୍ରମଣ କରିଥିବାରୁ ଉଭୟେ ମୃତ୍ୟୁବରଣ କରିଥିଲେ।