ବାଲି ଗାଡ଼ିରୁ ଚାନ୍ଦା ଆଦାୟକୁ ନେଇ ରମ୍ପାସରେ ଉତ୍ତେଜନା
ହାଟଡିହି (ବିକାଶ ବିଶ୍ବାଳ): ବାଲି ଗାଡ଼ିରୁ ଚାନ୍ଦା ଆଦାୟ କୁ ନେଇ ରମ୍ପାସ ରେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇଦିନ ହେଲା ବାଲି ପରିବହନ ଜୋରଦାର ହେବାରୁ ଶହ ଶହ ବାଲି ବୋଝେଇ ଗାଡି ଅଣା ସମଣା ରାସ୍ତାରେ ଯାତାୟତ ଆରମ୍ଭ କରିଦେଇଛନ୍ତି। ଆଜି ରମ୍ପାସ ଗାଁ ନିକଟରେ ତିନୋଟି ସ୍ଥାନରେ ଚାନ୍ଦା ଆଦାୟ ହେବାରୁ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଛକାପଞ୍ଝା ଆରମ୍ଭ ହୋଇଯାଇଥିଲା। ଆଜି ସନ୍ଧ୍ୟାରେ କାହିଁକି ଏତେ ଯାଗାରେ ଚାନ୍ଦା ଆଦାୟ କରାଯିବ ବୋଲି କିଛି ବ୍ୟକ୍ତି ବିରୋଧ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ସହ ହାତାହାତି ହୋଇଥିବା ଜଣାପଡ଼ିଛି। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ୫୦ରୁ ଊର୍ଦ୍ଧ୍ବ ଟ୍ରକ, ହାଇୱା ଅଟକି ରହିଥିଲେ। ଉଭୟ ଗୋଷ୍ଠୀ ଠେଙ୍ଗା ବାଡ଼ି ଓ ବିଭିନ୍ନ ମାରଣାସ୍ତ୍ର ଧରି ଗଣ୍ଡଗୋଳ କରିବାକୁ ପ୍ରସ୍ତୁତି ଚଳାଉ ଥିବାବେଳେ କିଛି ମୂରବୀ ଶ୍ରେଣୀୟ ବ୍ୟକ୍ତି ପହଞ୍ଚି ଆପୋଷ ବୁଝାମଣା କରି ଗଣ୍ଡଗୋଳକୁ ବନ୍ଦ କରିବାରେ ସଫଳ ହୋଇଛନ୍ତି।