ପେଟ୍ରୋଲ, ଗ୍ୟାସ ୟୁନିଟରେ ନିୟମିତ ଚଢ଼ଉ ଦାବୀ : ଠକାମୀର ଶିକାର ଗ୍ରାହକ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପ୍ରତିଦିନ ଗ୍ରାହକ ମାନେ ବିଭିନ୍ନ ଆଳରେ ଠକାମୀର ଶିକାର ହେଉଛନ୍ତି। ଏ ନେଇ ବାରମ୍ବାର ଗଣ ମାଧ୍ୟ୍ୟମରେ ଖବର ମାନ ପ୍ରକାଶ ପାଇଛି। ଏଭଳି ପରିସ୍ଥିତି ରେ ଅସ୍ତରଙ୍ଗ ବ୍ଲକ ତଥା ନିକଟସ୍ଥ ବ୍ଲକ ଅଂଚଳର ଗ୍ରାହକ ମାନେ ପେଟ୍ରୋଲ ଓ ଗ୍ୟାସ କ୍ରୟ ବେଳେ ଠକାମୀର ଶିକାର ହେଉଥିବା ଅଭିଯୋଗ ଆସୁଛି। ଉକ୍ତ ଅଭିଯୋଗର ସମାଧାନ ପାଇଁ ଏହି ଦୁଇଟି କ୍ଷେତ୍ରରେ ନିୟମିତ ବିଭାଗ ପକ୍ଷରୁ ତଦାରଖ ସହ ଅଚାନକ ଚଢ଼ାଉ ପାଇଁ ଦାବୀ ଜୋର ଧରିଛି। ଏବେ ସାଧାରଣ ଜୀବନରେ ପେଟ୍ରୋଲ ଓ ଲିକ୍ୟୁଫାଏଡ଼ ପେଟ୍ରୋଲିୟମ ଗ୍ୟାସ (ଏଲପିଜି )ଅତ୍ୟାବଶ୍ୟକ ଦ୍ରବ୍ୟ ପାଲଟିଛି। ବିଭିନ୍ନ କମ୍ପାନୀ ବା ଏଜେନ୍ସି ଦ୍ୱାରା ଏହି ଗ୍ରାହକ ଙ୍କୁ ବଣ୍ଟନ କରାଯାଉଛି। ଏଥି ପାଇଁ ଅସ୍ତରଙ୍ଗ ବ୍ଲକ ହେଉ ଅବା ନିକଟସ୍ଥ ବ୍ଲକ ଅଂଚଳରେ ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି ମଧ୍ୟ ରହିଛି। ମାତ୍ର ସେଠାରେ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉ ନଥିବାରୁ ଗ୍ରାହକ ଠକାମୀରେ ଶିକାର ହେଉଛନ୍ତି। ଗ୍ରାମାଞ୍ଚଳ ବିଭିନ୍ନ ଅଂଚଳରେ ୩ରୁ ଉର୍ଦ୍ଧ ପେଟ୍ରୋଲ ପମ୍ପ ଅଛି। ଏହି ସବୁ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରତିଦିନ ହଜାର ହଜାର ଗ୍ରାହକ ନିଜର ବାଇକି,ଚାରି ଚକିଆ ଓ ଭାରୀ ଯାନ ଗାଡ଼ିରେ ପେଟ୍ରୋଲ ଓ ଡିଜେଲ ପକାଉଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କା ବ୍ୟବସାୟ ହେଉଛି। ମାତ୍ର ଏଥିରେ ଗ୍ରାହକ ଙ୍କୁ ଅଭିନଵ ଭାବେ ଠକା ଯାଉଛି। ଗ୍ରାହକ ଯେତେ ଟଙ୍କାର ପେଟ୍ରୋଲ କ୍ରୟ କରୁଛନ୍ତି ;ସେତିକି ଟଙ୍କାର ପେଟ୍ରୋଲ ନ ମିଳି କମ୍ ମିଳୁଛି। ସବୁ ପେଟ୍ରୋଲ ପମ୍ପ ନୁହେଁ କିଛି ପେଟ୍ରୋଲ ପମ୍ପରେ ଏଭଳି ବେଆଇନି କାମ କରାଯାଉଛି। ନିୟମ ମୁତାବକ ଗ୍ରାହକ ଙ୍କ ଜାଣିବା ଉଦେଶ୍ୟରେ ପ୍ରତି ପେଟ୍ରୋଲ ପମ୍ପଗୁଡିକ ରେ ବୈଧ ମାପବିଭାଗ ପକ୍ଷରୁ ମିଳିଥିବା ଯାଞ୍ଚ ପ୍ରମାଣ ପତ୍ର ଲଗାଯିବା ବାଧ୍ୟତା ମୂଳକ। ଏହା ବ୍ୟତୀତ ଗ୍ରାହକ ଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜାରି ହୋଇଥିବା ବିଭିନ୍ନ ହେଲ୍ପ ଲାଇନି ସାର୍ଵଜନିନ କରାଯିବା ଉଚିତ। ମାତ୍ର ଅଧିକାଂଶ ପେଟ୍ରୋଲ ପମ୍ପ ଗୁଡିକ ଏହା କରୁନଥିବା ଅଭିଯୋଗ ଆସିଛି। ସମାନ ସମସ୍ୟା ଏଲପିଜି ଗ୍ୟାସ କ୍ଷେତ୍ର ରେ ଦେଖିବାକୁ ମିଳୁଛି। ରୋଷେଇ ରେ ଏଲପିଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏହି ସାଧାରଣ ଲୋକଙ୍କୁ ବଣ୍ଟନ କରାଯାଉଛି। ଏଥିପାଇଁ ସବସିଡ଼ି ବ୍ୟବସ୍ଥା ମଧ୍ୟ କରାଯାଉଛି। ଅସ୍ତରଙ୍ଗ ବ୍ଲକ ନଚେତ ନିକଟସ୍ଥ ବ୍ଲକ ଅଂଚଳରେ କିଛି ଏଜେନ୍ସି ଙ୍କୁ ଏହାର ବଣ୍ଟନ ଦାୟିତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଲୋକଙ୍କୁ ସେମାନେ ଏହି ଏଲପିଜି ଯୋଗାଇ ଦେଉଛନ୍ତି। ତେବେ ପ୍ରତି ସିଲିଣ୍ଡର ରେ କିଛିଦିନ ହେବ ୨ରୁ ୩କିଗ୍ରା ଲେଖାଏଁ ଗ୍ୟାସ କମ୍ ରହୁଛି। ଯୋଗାଣ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ନ ହେବାରୁ ସାଧାରଣ ଲୋକେ ଠକାମୀର ଶିକାର ହେଉଛନ୍ତି। ଅପରପକ୍ଷରେ ଏହି ଦାୟିତ୍ୱରେ ଥିବା କିଛି ଅସାଧୁ କର୍ମଚାରୀ ମାଲେ ମାଲ ହେଉଥିବା ଏଲପିଜି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବୀ କରିଛନ୍ତି। ନିୟମ ମୁତାବକ ସିଲିଣ୍ଡର ଦେବା ସମୟରେ ସମ୍ପୂକ୍ତ କର୍ମଚାରୀ ଉପଭୋକ୍ତା ଙ୍କ ଘରେ ଓଜନ କରି ଡେଲିଭରି ଦେବା କଥା। ମାତ୍ର ସଚେତନତା ଅଭାବ ରୁ ସେମାନେ ତାହା କରୁ ନାହାନ୍ତି। ଫଳରେ ଉପଭୋକ୍ତା ଠକାମୀର ଶିକାର ହେଉଛନ୍ତି।
ପେଟ୍ରୋଲ ପମ୍ପରେ କମ୍ ପେଟ୍ରୋଲ ମିଳିବା ନେଇ ବୈଧ ଓଜନ ଓ ମାପ କାର୍ଯ୍ୟାଳୟ (ୱେଟ ଆଣ୍ଡ ମେଜର )ର ବିଭାଗୀୟ ଅଧିକାରୀ ଏବଂ ଏଲପିଜି ସିଲିଣ୍ଡର ସମସ୍ୟା କୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ।


