ଆସିକାରେ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ଆଲିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ରନାଥ ବେହେରା, ନିମିନା କ୍ଳଷ୍ଟରର ନିମିନା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଆସିକା ସଦର କ୍ଳଷ୍ଟରର ପାକଲାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ପଣ୍ଡା ଓ ହରିଡାପଦର କ୍ଳଷ୍ଟରର ତରାସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକ ସହକାରୀ ଶିକ୍ଷକ ତ୍ରିଲୋଚନ ଦାଶ ସୋମବାର ନିଜ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଛନ୍ତି। ଏହି ଅବସରରେ ସୋମବାର ଅପରାହ୍ନରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଏକ ଅବସରକଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଆସିକା ବିଇଓ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଶିବରାମ ବେହେରା ଏବଂ ଆସିକା ସଦର କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିରକାନ୍ତ ବେହେରା, ଆସିକା ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସକ୍ରିୟ ସଦସ୍ୟ ସିମାଂଚଳ ସେଠୀ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ରନାଥ ବେହେରା ଓ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ପଣ୍ଡା ଏବଂ ସହକାରୀ ଶିକ୍ଷକ ତ୍ରିଲୋଚନ ଦାଶ ଯେଉଁଭଳି ଭାବେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଲାଗି ନିରବିଚ୍ଛିନ୍ନ ତ୍ୟାଗ, କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା, ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ବାତ୍ସଲ୍ୟ ମନୋଭାବ, ନିଷ୍ଠାପର କାର୍ଯ୍ୟଦକ୍ଷତା, ସେବା, ପରୋପକାର ଗୁଣ ଏକ ମାଇଲଖୁଣ୍ଟ ସଦୃଶ ହୋଇଥିବା ବେଳେ ସେମାନେ ଶିକ୍ଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ପ୍ରକାଶ କରିବା ସାଙ୍ଗକୁ ତାଙ୍କର ବହୁମୁଖୀ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ସ୍ମୃତିଚାରଣ କରି ସେମାନଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ, ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ହେଉ ବୋଲି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କାମନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ରନାଥ ବେହେରା ଓ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ପଣ୍ଡା ଓ ସହକାରୀ ଶିକ୍ଷକ ତ୍ରିଲୋଚନ ଦାଶଙ୍କୁ ଶିକ୍ଷାବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ୨ ଜଣଙ୍କୁ ଫାଇନାଲ୍ ପେନସନ୍ ଓ ଜଣଙ୍କୁ ପ୍ରୋଭିଜିନାଲ୍ ପେନ୍ସନ୍ ସଂକ୍ରାନ୍ତୀୟ କାଗଜପତ୍ର ପ୍ରଦାନ କରାଯାଇଥିଲା। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଟିତ ହୋଇଥିବା ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିଭାଗର କର୍ମଚାରୀ କେ.ଶ୍ରୀନିବାସ ପାତ୍ର, ଅନିଲ୍ କୁମାର ଜେନା, ଚିନ୍ମୟ ପ୍ରଧାନ, ଆଶୁତୋଷ ମହାନ୍ତି, ମନୋଜ କୁମାର ବେହେରା, ମନୋଜ କୁମାର ବିଶ୍ୱାଳ, ସୋମନାଥ ପ୍ରଧାନ, ସନ୍ତୋଷ ପଟ୍ଟନାୟକ, ଭାଗ୍ୟଲତା ଲେଙ୍କା, ହେମନ୍ତ ନନ୍ଦ, ମନ୍ଦାକିନୀ ରଥ, ଅମୂଲ୍ୟ କୁମାର ଦାଶ, ହେମନ୍ତ ରଥ, ସୌଭାଗ୍ୟବତୀ ଦେବୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।