ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ବନ୍ଧୁମିଳନ
ବାଲେଶ୍ୱର(ସରୋଜ ପଣ୍ଡା): ଦୀର୍ଘ ୧୮ବର୍ଷ ପରେ ଓଡ଼ିଶାରେ ସରକାରୀ କର୍ମଚାରୀ ସଂଘର ପ୍ରାଣକେନ୍ଦ୍ର ବାଲେଶ୍ୱରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ଏକ ବନ୍ଧୁମିଳନ ସଭା ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟ ସଂଗୀତ କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୋନପୁର, ସମ୍ବଲପୁର, ଢେଙ୍କାନାଳ, ଗଞ୍ଜାମ, ପୁରୀ, ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ଅନୁଗୁଳ, କଳାହାଣ୍ଡି, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବିଭାଗରୁ ଅବସର ନେଇଥିବା କର୍ମଚାରୀ ନେତାମାନେ ଏହି ବନ୍ଧୁମିଳନ ସଭାରେ ସାମିଲ ହୋଇଥିଲେ। ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପାର୍ଘ୍ୟ ପ୍ରଦାନ ପରେ ଉକ୍ତ ବନ୍ଧୁମିଳନ ସଭାରେ ଅବସରପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତିର ସଭାପତି ପ୍ରଦୀପ କୁମାର ଚାଟାର୍ଜୀ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଅତିଥିଭାବେ ସଦାଶିବ ମିଶ୍ର, ପ୍ରଭାସ କୁମାର ସାହୁ ଓ ଅନ୍ତର୍ଯ୍ୟାମୀ ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ। ଏତଦ୍ଭିନ୍ନ ବିଭିନ୍ନ ଜିଲ୍ଲାରୁ ଆସିଥିବା ନେତୃତ୍ୱମାନେ ସଂଘର ଆଭିମୁଖ୍ୟ ଓ ଏହାର ଭବିଷ୍ୟତ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଂପାଦକ ଗଗନ ବିହାରୀ ରାଉତ ଉପସ୍ଥିତମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଆଲୋଚନାରେ ସର୍ବଶ୍ରୀ ରୂପକେଶରୀ ଦଳାଇ, ପ୍ରସନ୍ନ କୁମାର ତ୍ରିପାଠୀ, ଜ୍ଞାନରଞ୍ଜନ ଦାଶ, ଜ୍ୟୋତିରଞ୍ଜନ ପଟ୍ଟନାୟକ, ଚିତ୍ତରଞ୍ଜନ ତରାସିଆ, ରବୀନ୍ଦ୍ର ପ୍ରଧାନ, ନାରାୟଣ ଦାସ, ଅଜିତ୍ ନାୟକ, ଅସିତ୍ ବରଣ ସ୍ୱାଇଁ, ସୋମନାଥ ନାୟକ, ସର୍ବେଶ୍ୱର ମିଶ୍ର, ଅରୁଣ ବଳିଆର ସିଂହ, ଦିଲ୍ଲୀପ କୁମାର ରଥ, ଦେବି ଦାସ ଆଚାର୍ଯ୍ୟ, ସୁନନ୍ଦ କାନୁନ୍ଗୋ, ଗୌରାଙ୍ଗ ପାଣିଗ୍ରାହୀ, ବରେନ୍ ପାତ୍ର ଓ ବିଜୟଲକ୍ଷ୍ମୀ ରାଉତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ୨୦୧୩ ମସିହା ପୂର୍ବରୁ ଅବସର ନେଇଥିବା କର୍ମଚାରୀମାନେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆରଏସିପି ଏବଂ ଏମ୍ଏସିପି ନ ପାଇବା ଦ୍ୱାରା ପେନସନ୍ର୍ସଙ୍କ ମଧ୍ୟରେ ଆର୍ଥିକ ଅସଙ୍ଗତି ରହିବା ଦ୍ୱାରା ବହୁ କର୍ମଚାରୀ ମାସିକ ପେନସନ୍ କମ୍ ପାଉଛନ୍ତି। ଏହି ଅସଙ୍ଗତି ଦୂର କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ୨୦୦୯ ପରେ ଅବସର ନେଇଥିବା କର୍ମଚାରୀମାନେ କମୁଟେଡ୍ ପେନସନ୍ ରାଜ୍ୟ ସରକାରଙ୍କୁ ୧୨ ବର୍ଷ ପରିବର୍ତ୍ତେ ୧୫ବର୍ଷ ପର୍ଯ୍ୟନ୍ତ ପରିଶୋଧ କରିବାଦ୍ୱାରା ପେନସନ୍ଭୋଗୀ ପ୍ରାୟ ୩ବର୍ଷର ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ଯଦିଓ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଆଦେଶ ପରେ ବି ରାଜ୍ୟ ସରକାର କର୍ମଚାରୀମାନଙ୍କଠାରୁ କାଟି ନେଇଥିବା ଅର୍ଥ ଫେରସ୍ତ କରୁନାହାନ୍ତି। ବରିଷ୍ଠ ନାଗରିକମାନଙ୍କୁ ରେଳଯାତ୍ରାରେ ଦିଆଯାଉଥିବା ରିହାତିର ପୁନଃ ପ୍ରଚଳନ ଓ ୬୦ବର୍ଷରୁ ୭୦ ବର୍ଷ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସରକାରୀ ସ୍ୱାସ୍ଥ୍ୟବୀମା ପ୍ରଦାନ ପାଇଁ ଦାବି କରାଯାଇଛି।
କାର୍ଯ୍ୟକ୍ରମ ପରିଚାଳନାରେ ହିମାଂଶୁ ଦାସ, ଶ୍ୟାମସୁନ୍ଦର ଜେନା, ମନୋରଞ୍ଜନ ଦାସ, ଜ୍ଞାନରଞ୍ଜନ ସେଠୀ, ଲକ୍ଷ୍ମୀଧର ଦାସ ପ୍ରମୁଖ ସହଯୋଗ କରିଥିଲେ। ସଂଗଠନର କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଘୋଷ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ।


