ରାଜସ୍ୱ ଓ ଭୂ-ଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ଆଜି ରାଜସ୍ୱ ଓ ଭୂ-ଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଯୋଗଦେଇ ପୂର୍ବ ସର୍ବେକ୍ଷଣ ଅନୁଯାୟୀ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରକୁ ଜମିପଟ୍ଟା ପ୍ରଦାନ, ପୂର୍ବରୁ ପ୍ରଦାନ କରାଯାଇଥିବା ଘରବାଡି ଜମିର ଚିହ୍ନଟ, ଶିକ୍ଷାନୁଷ୍ଠାନଗୁଡିକର ଜମିର ନିୟମିତକରଣ, ଜଙ୍ଗଲ ଅଧିକାର ଆଇନରେ ପ୍ରଦାନ କରାଯାଇଥିବା ପଟ୍ଟା ବଂଟନ, ସିକିମ୍‌, ବେବନ୍ଦୋବସ୍ତ ଓ ଜଙ୍ଗଲ ଜମି ଅଧିକାର ଅଧିନିୟମ ଅନ୍ତର୍ଗତ ବିଭିନ୍ନ ଯୋଜନା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଗୋଚର ଜମିରେ ରହୁଥିବା ଲୋକଙ୍କୁ ଥଇଥାନ କରାଇବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱ ଦେଇ, ବୃଦ୍ଧ, ଅସହାୟ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକଙ୍କ ସମସ୍ୟାଗୁଡିକ ଉପରେ ଯଥା ସମୟରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବିଭିନ୍ନ ସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ବିଭାଗ ଇତ୍ୟାଦିର ଅବ୍ୟବହୃତ ଜମିକୁ ବିଭିନ୍ନ ଉନ୍ନୟନ ଯୋଜନା ନିମନ୍ତେ ସରକାରୀ ଖାତାକୁ ଆଣି ପ୍ରଦାନ କରିବା, ବିଭିନ୍ନ ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା, ଚକବନ୍ଦୀ ଆଦି ବିଷୟରେ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପଡିରହିଥିବା ଜମିଜମା ସମ୍ବନ୍ଧୀୟ, ରାଜସ୍ୱ, ଅଦାଲତ ମାମଲାଗୁଡିକର ତ୍ୱରିତ ଫଇସଲା କରିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସେହିଭଳି ଭାବେ କ୍ୟାପିଟାଲ ରିଜନ୍ ରିଙ୍ଗରୋଡ(ସିଆରଆରଆର) ନିମନ୍ତେ ଜମି ଅଧିଗ୍ରହଣକୁ ସୁଗମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏଥିସହ ସରକାରୀ ଜମିର ସୁରକ୍ଷା ଓ ଏହାର ଜବରଦଖଲକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ତହସିଲଦାର ଏବଂ ଉପଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ରାଜସ୍ୱ ସେବାଗୁଡିକ କିପରି ଭାବେ ଲୋକଙ୍କ ଦ୍ୱାରଦେଶରେ ପହଂଚିବ ସେଥିନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସମୀକ୍ଷା ଶେଷରେ ରାଜସ୍ୱ ଓ ଭୂ-ଅର୍ଜନ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀମାନେ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରିବା ଏବଂ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ନୂତନ ପ୍ରସ୍ତାବମାନ ଦାଖଲ କରିବାକୁ ରାଜସ୍ୱ ଅଧିକାରୀମାନଙ୍କୁ କହିଥିଲେ । କଟକରେ ଆବଶ୍ୟକ ହେଉଥିବା ଭିତିଭୂମି ଏବଂ କର୍ମଚାରୀ ନିୟୋଜନ କରିବା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେବା ସହ ଜିଲ୍ଲାରେ ରାଜସ୍ୱ କ୍ଷେତ୍ରରେ ହେଉଥିବା କାର୍ଯ୍ୟଗୁଡିକ ଉପରେ ସନ୍ତୋଷବ୍ୟକ୍ତ କରିଥିଲେ ।
ଜିଲ୍ଳାପାଳ ଓ ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜସ୍ୱ ବିଭାଗ ଅଧିନସ୍ଥ ସମସ୍ତ କାର୍ଯ୍ୟର ତଥ୍ୟ ପ୍ରସ୍ତୁତି କରାଯାଇ ରାଜସ୍ୱ ମନ୍ତ୍ରୀଙ୍କୁ ଅବଗତ କରଯାଇଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡକ୍ଟର ଦିବ୍ୟଲୋଚନ ମହାନ୍ତ ବର୍ତମାନର ସ୍ଥିତି ସମ୍ପର୍କରେ ଉପସ୍ଥାପନ କରିଥିଲେ । ବୈଠକରେ ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ, ବଡମ୍ବା ବିଧାୟକ ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା, ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ପ୍ରଧାନଙ୍କ ସମେତ କଟକ ସଦର, ଆଠଗଡ ଓ ବାଙ୍କୀ ଉପଜିଲ୍ଳାପାଳ ଏବଂ ସମସ୍ତ ତହସିଲଦାର ଏବଂ ସମସ୍ତ ଡେପୁଟୀ କଲେକ୍ଟର ଓ ଜିଲ୍ଳାର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଏହି ସମୀକ୍ଷା ସମୟରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ