ସଡ଼କ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର
ଗୁଣପୁର,(ୱାଇଏନଏସ): ଗୁଣପୁର -ପାରଳାଖେମୁଣ୍ଡି ରାସ୍ତା ଚୈତନ୍ୟଗୁଡ଼ା ଗ୍ରାମ ନିକଟରେ ଗୋଟିଏ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଗୁଣପୁର ସହର ର ପୁରୁଣା ପୋଷ୍ଟ ଅଫିସ ସାହି ନିକଟରେ ମଟର ସାଇକେଲ ଗ୍ୟାରେଜ କରିଥିବା ଜଣାଶୁଣା ମେକାନିକ ଚିନ୍ତଡା ରମେଶ(୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ତାଙ୍କ ପଛରେ ବସିଥିବା ପରିବା ବେପାରୀ ଆତୁକୁରୁ ଭାନୁଙ୍କ ପୁଅ ଚିନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଶ୍ରୀକାକଲମ ସ୍ଥାନାନ୍ତର କରିଥିବା ଜଣାପଡିଛି। ସେହିପରି ସ୍କୁଟି ଚଳାଉଥିବା ପୁରୁଣା ଷ୍ଟେଟ ବ୍ୟାଙ୍କ ଛକରେ ଜେରେକ୍ସ ଦୋକାନ କରିଥିବା ପଞ୍ଚାନନ ହୋତା ଏବଂ ତାଙ୍କ ସ୍ତ୍ରୀ ଅସ୍ମିତା ହୋତା ମଧ୍ୟ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସରେ ଶ୍ରୀକାକୁଲମ ନିଆଯାଇ କିମସ ହାସପାତଳରେ ଭର୍ତ୍ତି କରାଯାଇଛି। ଖବର ନେବାରେ ଜଣାପଡିଛିଯେ ଗୁଣପୁର ଜେରେକ୍ସ ଦୋକାନ ମାଲିକ ତାଙ୍କ ସ୍ତ୍ରୀ ସହ ପୁଲୁଗୁମି ନିକଟସ୍ଥ ବନ ଦୁର୍ଗା ମନ୍ଦିର ଦର୍ଶନକୁ ଯାଇ ଘର କୁ ସ୍କୁଟିରେ ଫେରିବା ସମୟରେ ଚୈତନ୍ୟଗୁଡ଼ା ନିକଟରେ ବିପରୀତ ଦିଗରୁ ଆସୁଥିବା ମଟର ମେକାନିକ ରମେଶଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ଗୁଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ମେକାନିକ ରମେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ଗୁରୁତର ଆହତ ତିନି ଜଣଙ୍କୁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଖବର ପାଇବା ମାତ୍ରେ ଗୁଣପୁର ସହରର ଶୁଭେଚ୍ଛୁ ଓ ବାଇକ ଗ୍ୟାରେଜ ଗୁଡିକର ମେକାନିକ ମାନେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତ ମେକାନିକ ରମେଶଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ବିୟୋଗ ଗୁଣପୁର ସହରରେ ଶୋକର ଛାୟା ଖେଳିଯାଇଛି।ଅପରପକ୍ଷେ ଗୁଣପୁର ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।


